ଓଡ଼ିଶା ପୁଲିସରେ ମୋଟ ୨୮୦୭୪ଟି ପଦବି ଖାଲି ପଡ଼ିଛି; ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ମୋଟ ୨୮୦୭୪ଟି ପୁଲିସ ପଦବି ଖାଲି ପଡ଼ିଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ କହିଛନ୍ତି ଯେ, ଓଡିଶା ପୋଲିସର ପାଞ୍ଚଟି ବର୍ଗର ମଞ୍ଜୁରିପ୍ରାପ୍ତ ମୋଟ ୧୩୯୩୮୪ ପଦବୀ ରୁ ୨୮୦୭୪ଟି ପଦବି ଖାଲି ପଡ଼ିଛି। ‘କ’ ବର୍ଗରେ ୧୦୩୯ ମଞ୍ଜୁରିପ୍ରାପ୍ତ ପଦବି ଭିତରୁ ୨୯୭ଟି, ‘ଖ’ ବର୍ଗରେ ୬୪୫୪ ମଧ୍ୟରୁ ୨୧୨୦ଟି, ‘ଗ’ ବର୍ଗରେ ୬୨୧୯୯ ଭିତରୁ ୧୧୬୨୦ଟି ଓ ‘ଘ’ ବର୍ଗରେ ୬୯୬୯୨ ମଧ୍ୟରୁ ୧୪୦୩୭ଟି ପୁଲିସ ପଦବି ଖାଲି ରହିଛି। ଏହାଛଡ଼ା ମନ୍ତ୍ରୀ କହିଛନ୍ତି, କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ‌କେତେଜଣ ପରିବହନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗକୁ ଡେପୁଟେସନରେ ଯାଇଛନ୍ତି, ସେନେଇ ସବିଶେଷ ତଥ୍ୟ ହାସଲ କରାଯାଉଛି। ପୁଲିସ ପଦବି ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗୃହରେ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ପୁଲିସରେ ବିଭିନ୍ନ ବର୍ଗର ମଞ୍ଜୁରିପ୍ରାପ୍ତ ପଦ ସଂଖ୍ୟା କେତେ ଓ ସେଥିରୁ କେତେ ପଦ ଖାଲିପଡ଼ିଛି? କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ‌କେତେଜଣ ପରିବହନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗକୁ ଡେପୁଟେସନରେ ଯାଇଛନ୍ତି? କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ସହ ତାଳ ଦେଇ ଅପରାଧ ସଂଖ୍ୟା ବଢ଼ୁଥିବାରୁ ଲୋକସଂଖ୍ୟା ଅନୁପାତରେ ଆବଶ୍ୟକ ପୁଲିସ କର୍ମଚାରୀ ନିଯୁକ୍ତି ସକାଶେ ସରକାର କେବେ ସୁଦ୍ଧା ପଦକ୍ଷେପ ନେବେ ଓ ଖାଲିପଡ଼ିଥିବା ପୁଲିସ ପଦ କେବେ ପୂରଣ ହେବ? ଏହାର ଉତ୍ତରରେ ମନ୍ତ୍ରୀ ଉପରୋକ୍ତ ତଥ୍ୟ ରଖିଛନ୍ତି

Related Posts