ତୃଣମୂଳ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌, ବଦଳିଲା ନାଁ ଓ ଲୋଗୋ

ଭୁବନେଶ୍ଵର,୨୮/୨(ସତ୍ୟପାଠ ବ୍ୟୁରୋ): ତୃଣମୂଳ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌। ହ୍ୟାକ୍‌ ପରେ ଟିଏମ୍‌ସିର ଟ୍ୱିଟର ଆକାଉଣ୍ଟ ନାଁ ପରିବର୍ତ୍ତନ ହୋଇ ‘ୟୁଗା ଲ୍ୟାବ’ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ଟିଏମ୍‌ସି ତରଫରୁ କୌଣସି ସୂଚନା ଦିଆଯାଇନି।

ହ୍ୟାକର୍ସମାନେ ଟିଏମ୍‌ସିର ଟ୍ୱିଟର ଆକାଉଣ୍ଟରେ ଥିବା ପ୍ରୋଫାଇଲ ଫଟୋ ଓ ଲୋଗୋକୁ ପରିବର୍ତ୍ତନ କରି ଦେଇଛନ୍ତି। ହେଲେ ହ୍ୟାକର୍ସମାନେ ଟିଏମ୍‌ସି ଆକାଉଣ୍ଟରୁ କୌଣସି ପୋଷ୍ଟ କରି ନାହାନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଆକାଉଣ୍ଟ ହ୍ୟାକ୍‌ ହେଲେ ବି ଏଯାଏ ଟିଏମ୍‌ସି ନାଁରେ କୌଣସି ଆପତ୍ତିଜନକ, ଅପମାନସୂଚକ କିମ୍ବା ଟିଏମ୍‌ସି ବିରୋଧୀ ଟିପ୍ପଣୀ ପୋଷ୍ଟ କରାଯାଇନି। ଟିଏମସିର ଟ୍ୱିଟର ଲୋଗୋ ‘Y’ ଆକାରର କଳା ଫ୍ରଣ୍ଟରେ ଦେଖିବାକୁ ମିଳିଛି। ଟିଏମ୍‌ସିର ଆକାଉଣ୍ଟ ହ୍ୟାକ୍‌ କରିଥିବା ୟୁଗା ଲ୍ୟାବ୍‌ ହେଉଛି ଆମେରିକାସ୍ଥିତ ଏକ ବ୍ଲକ୍‌ ଚେନ୍‌ ଟେକନୋଲଜି କମ୍ପାନୀ । ଏହା NFT ଉପରେ କାମ କରେ । କ୍ରିପ୍ଟୋକରେନ୍ସ ଓ ଡିଜିଟାଲ ମିଡିଆରେ ବି ଏହି କମ୍ପାନୀ ବେଶ୍‌ ପାରଙ୍ଗମ ।

ଗତ ବର୍ଷ ଏପ୍ରିଲରେ ମଧ୍ୟ ଏଭଳି ଘଟଣା ସାମନାକୁ ଆସିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରାଯାଇଥିଲା। ଯେତେବେଳେ ଅଜ୍ଞାତ ହ୍ୟାକର୍ସମାନେ ୟୁପି ସିଏମ୍‌ଓ ଟ୍ୱିଟର ହ୍ୟାଣ୍ଡେଲ ବ୍ୟବହାର କରି ବ୍ୟକ୍ତିଗତ ପୋଷ୍ଟ ପ୍ରକାଶ କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହା ବ୍ୟତୀତ, ୟୁପି ସିଏମ୍‌ଓର ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

Related Posts