ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଏତଲା, ସାରା ରାତି ଥାନାରେ ବିଜେପିର ଧାରଣା

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ବିଧାନସଭା ଘେରାଉ ପାଇଁ ଯିବା ସମୟରେ ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ନେତାଙ୍କୁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ବିଜେପି। ବିଜେପି ନେତ୍ରୀ ଅପରାଜିତା ବଡ଼ଜେନାଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଛି। ସାଧା ପୋଷାକରେ ଆସି ପୋଲିସ କର୍ମୀ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି। ଏଥିସହ ଗିରଫ ହୋଇଥିବା ଯୁବମୋର୍ଚ୍ଚା ନେତାଙ୍କୁ ଛାଡିବା ଦାବିରେ ବିଜେପି ରାତିଯାକ ଥାନା ଆଗରେ ଧାରଣା ଦେଇଛି।

ବିଜେପି ଏତଲାରେ କହିଛି ଯେ, ପୋଲିସ ସାଧା ପୋଷାକରେ ଆସି ଯୁବମୋର୍ଚ୍ଚା କର୍ମୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଏବଂ ସଂପୃକ୍ତ ବ୍ୟକ୍ତିମାନେ ଯୁବମୋର୍ଚ୍ଚାର ମହିଳା ନେତ୍ରୀଙ୍କୁ ଅଶୋଭନୀୟ ଆଚରଣ ଦେଖାଇବା ସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। ପୋଲିସ ଅତର୍କିତ ଭାବେ ଲାଠିଚାର୍ଜ କରିଥିଲା। ଏଥିରେ ଅନେକ କର୍ମୀ ଆହତ ହୋଇଛନ୍ତି। ପୁରୁଷ ପୋଲସି ମହିଳା ନେତ୍ରୀଙ୍କ ଉପରେ ଟଣାଓଟରା କରିବା ସହିତ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି। ଯୁବମୋର୍ଚ୍ଚାର କର୍ମୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲର ଷ୍ଟ୍ରେଚରରେ ଆଡମିଟ୍ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇନି। ଯାହା ହେଉଛି ବିଜେଡି ସରକାର ଆଧାରରେ ହେଉଛି ବୋଲି ବିଜେପି ଅଭିଯୋଗ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ରଣକ୍ଷେତ୍ର ପାଲଟିଥିଲା ବିଧାନସଭା ସମ୍ମୁଖ ଲୋୟର ପିଏମଜି ରାସ୍ତା । ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଧସ୍ତାଧସ୍ତି, ଉତ୍ତେଜନାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ବିଜେପି କର୍ମୀ ଫିଙ୍ଗିଥିଲେ ଅଣ୍ଡା ଓ ପାଣି ପାଉଚ୍। ଧସ୍ତାଧସ୍ତି ଠେଲାପେଲାରେ ବିଜେପି କର୍ମୀଙ୍କ ସହ ପୋଲିସ ବି ଲହୁଲୁହାଣ ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ ସ୍ଥଳରୁ ପୋଲିସ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ସହ ୨୨ ଜଣଙ୍କୁ ଗିରଫ କରିଛି । ଏନେଇ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ ହୋଇଛି। ଏଥିସହ ସମସ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Related Posts