ପୂର୍ବତନ ବିଚାରପତିଙ୍କ ଦ୍ଵାରା ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଏକ ସରକାରୀ ହାୱା: ନରସିଂହ ମିଶ୍ର

ଭୁବନେଶ୍ଵର,୨୮/୨(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟାକାଣ୍ଡକୁ ଆଜିକୁ ଏକ ମାସ ବିତିଥିବାବେଳେ ଏହାର ତଦନ୍ତକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ନରସିଂହ ମିଶ୍ର। ମାମଲାର ତଦନ୍ତ ପାଇଁ ହାଇକୋର୍ଟର ପୂର୍ବତନ ବିଚାରପତି ଜେ.ପି ଦାସଙ୍କ ନିଯୁକ୍ତିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେହିଭଳି ଗୋବିନ୍ଦ ସାହୁ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ରାଜ୍ୟ ସରକାର ଡରୁଛନ୍ତି ବୋଲି ନରସିଂହ କହିଛନ୍ତି। ଆଜି ଗୋବିନ୍ଦ ସାହୁ ପ୍ରସଙ୍ଗରେ ମୂଲତବୀ ଆଲୋଚନା ଥିବାବେଳେ ସରକାରୀ ଦଳ ହୋହଲ୍ଲା କରି ଗୃହକୁ ଅଚଳ କରିବା ଦୁର୍ଭାଗ୍ୟଜନକ। ଗଣତନ୍ତ୍ର ପାଇଁ ଏହା ବିପଦ ବୋଲି ନରସିଂହ କହିଛନ୍ତି। ବିରୋଧୀଙ୍କୁ ଗୃହରେ କୁହାଇ ଦେଲେ ନାହିଁ। ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା ଶୂନ୍ୟକାଳରେ ବିରୋଧୀ ଦଳନେତାଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯିବ। କିନ୍ତୁ ତାହା ଉଲ୍ଲଙ୍ଘନ ହୋଇଛି କହି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର ଗଣତନ୍ତ୍ର ଉପରେ ବିଶ୍ବାସ କରନ୍ତି ନାହିଁ। ବିଧାନସଭାରେ ପ୍ରଶ୍ନ କଲେ ଏହାର ସିଧା ସଳଖ ଉତ୍ତର ନଦେଇ ବୁଲାଇ ବଙ୍କାଇ ଉତ୍ତର ଦେଉଛନ୍ତି। ଗତକାଲି ମୁଁ ପ୍ରଶ୍ନ କରିଥିଲି ଯେ ହାଇକୋର୍ଟ ନ୍ୟାୟିକ ନିର୍ଦ୍ଦେଶନାମାରେ ହେଉ କି ପ୍ରଶାସନିକ ନିର୍ଦ୍ଦେଶନାମାରେ କୌଣସି ଘଟଣାର ତଦନ୍ତକୁ ତଦାରଖ ପାଇଁ କୌଣସି ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇପାରିବେ କି? ନବ ଦାସ ହତ୍ୟାକାଣ୍ଡ ମାମଲାର ତଦନ୍ତ ତଦାରଖ ଅବସରପ୍ରାପ୍ତ ବିଚାରପତି କରୁଛନ୍ତି ଏହା ଆଇନସଂଗତ କି? ଏହାର ଉତ୍ତର ରାଜ୍ୟ ସରକାର ସିଧା ସଳଖ ହଁ କିମ୍ବା ନା’ ରେ ଦେଇପାରିଥାନ୍ତେ । କିନ୍ତୁ ଉତ୍ତର ଦେବାର ସତସାହାସ ସରକାରଙ୍କର ନାହିଁ । ତେଣୁ ବୁଲାଇ ବଙ୍କାଇ ଉତ୍ତର ଦେଲେ । ଉତ୍ତରରେ ରାଜ୍ୟସରକାର ଉତ୍ତର ପ୍ରଦେଶ ଖେରୀର ଉଦାହରଣ ଦେଇଛନ୍ତି। କହିଛନ୍ତି ଏହି ଘଟଣାର ତଦନ୍ତ ତଦାରଖ ପାଇଁ ସୁପ୍ରିମକୋର୍ଟ ଚଣ୍ଡିଗଡ ହାଇକୋର୍ଟର ଜଣେ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ। ହେଲେ ସେ ଘଟଣାରେ ମାନ୍ୟବର ସୁପ୍ରିମକୋର୍ଟ ନ୍ୟାୟିକ ନିର୍ଦ୍ଦେଶନାମା ଜାରି କରିଥିଲେ। ସରକାର ପ୍ରଶ୍ନର ସିଧାସଳଖ ଉତ୍ତର ନ ଦେଇ ବୁଲେଇ ବଙ୍କେଇ ପରମ୍ପରା ନାଁରେ ଖସିବାକୁ ଚେଷ୍ଟା କରୁଛନ୍ତି। ନବ ଦାସ ହତ୍ୟା ଘଟଣାରେ ସରକାର ଯେଉଁ ଉତ୍ତର ରଖିଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି ତଦନ୍ତ କାର୍ଯ୍ୟ ଠିକ ଭାବେ ଚାଲୁ ନାହିଁ। ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ ତଦନ୍ତକାରୀ ସଂସ୍ଥା ପ୍ରତ୍ୟକ୍ଷଦର୍ଶୀଙ୍କୁ ଜେରା କରିଛି। ଯଦି ପ୍ରତ୍ୟେକ୍ଷଦର୍ଶୀଙ୍କୁ ଜେରା ହୋଇଛି, କିଏ ସେହି ପ୍ରତ୍ୟେକ୍ଷଦର୍ଶୀ । ସେ କଣ ଦେଖିଛନ୍ତି? ଅଭିଯୁକ୍ତକୁ ଗୁଳି କରୁଥିବାର ସେମାନେ ଦେଖିଛନ୍ତି କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ସେହିଭଳି ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ ଯେ ଷଡଯନ୍ତ୍ର ଦିଗକୁ ତଦନ୍ତ କରାଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ଏକଥା କହି ନଥିଲେ। ଏହାର ଅର୍ଥ ପୂର୍ବରୁ ଷଡଯନ୍ତ୍ର ଦିଗକୁ ନେଇ ତଦନ୍ତ ହେଉ ନଥିଲା। ବିରୋଧୀ ଏନେଇ ପ୍ରଶ୍ନ ଉଠାଇବା ପରେ ଏ ଦିଗରେ ତଦନ୍ତ ହେଉଛି। ଯଦି ଷଡଯନ୍ତ୍ର ଦିଗକୁ ତଦନ୍ତ କରୁଛନ୍ତି। କେଉଁମାନେ ସନ୍ଦେହ ଘେରକୁ ଆସିଛନ୍ତି? ତାଙ୍କ ନାଁ କହିବାକୁ ସରକାର ଡରୁଛନ୍ତି କାହିଁକି? ବିରୋଧୀ ଦେଳ ପକ୍ଷରୁ ଯେଉଁ କିଛି ଲୋକଙ୍କ ନା କୁହାଯାଉଛି ସେମାନେ ନୁହେଁ ତ? । ସେହି ସନ୍ଦେହ ଅଧିକ ଘନୀଭୂତ ହେଉଛି ବୋଲି ନରସିଂହ କହିଛନ୍ତି ।

ସେହିପରି ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୋଟିଏ ପଟେ ନ୍ୟାୟିକ ତଦନ୍ତ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରୁଛି । କିନ୍ତୁ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର କୌଣସି ଆଲୋଚନା କରିବାକୁ ପ୍ରସ୍ତୁତ ନାହାଁନ୍ତି । ଆଲୋଚନା ଭୟର ଗୃହ ଅଚଳ କରି ଛତ୍ରଭଙ୍ଗ ଦେଉଛନ୍ତି। କ୍ରାଇମବ୍ରାଞ୍ଚର ତଦନ୍ତ ଦକ୍ଷତା ଉପରେ ନରସିଂହ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ମୁଁ ବିଧାନସଭାରେ ପ୍ରଶ୍ନ କରିଥିଲି, ଗତ ୧୦ ବର୍ଷରେ ସରକାର କେତୋଟି ମାମଲା କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ଦେଇଛନ୍ତି? ସରକାର ଏହାର ଉତ୍ତର ଦେଇ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ୨୨୫ଟି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ସେଥି ମଧ୍ୟରୁ ମାତ୍ର ୮୮ ଟି ମାମଲାର ଚାର୍ଜସିଟ ହୋଇଛି । ୮୯ଟି ମାମଲାରୁ କିଛି ମିଳିନାହିଁ । କିଛି ମାମଲା ୨୦ବର୍ଷ ହେଲା ତଦନ୍ତ ଚାଲିଛି। ଏଥରୁ ସ୍ପଷ୍ଟ ହେଉଛି କ୍ରାଇମବ୍ରାଞ୍ଚ କେତେ ପାରିବାପଣିଆ ରହିଛି। ଏବେ ସେହି କ୍ରାଇମବ୍ରାଞ୍ଚ ଉପରେ ଭରଷା କେମିତି ଆସିବ ବୋଲି ପ୍ରଶ୍ନ ଉଠେଇଛନ୍ତି ନରସିଂହ।

ସେହିପରି ପଟଣାଗଡ, ଟିଟିଲାଗଡ ଏବଂ ଚିଟଫଣ୍ଡ ମାମଲାରେ ସିବିଆଇ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନରସିଂହ। ବର୍ଷ ବର୍ଷ ଧରି ସିବିଆଇ ତଦନ୍ତଭାର ନେଇଥିବା ମାମଲା ଗୁଡିକ ପଡ଼ି ରହିଛି। ଏପରିକି ସିବିଆଇ ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଗେଟ୍ ବାହାରୁ ଫେରି ଆସିଥିଲା। ଏଥିରୁ ସିବିଆଇର ପାରିବାପଣିଆ ମଧ୍ୟ ଜଣାପଡିଛି। ତେଣୁ ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରି ତଦନ୍ତ କଲେ ଦୋଷୀ ଧରାଡିବ ବୋଲି ନରସିଂହ କହିଛନ୍ତି ।

Related Posts