ଗତ ତିନି ବର୍ଷରେ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୨୪୫ ହାତୀ; ବିଧାନସଭାରେ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ଗତ ୩ ବର୍ଷ(୨୦୧୯-୨୦ରୁ ୨୦୨୧-୨୨) ମଧ୍ୟରେ ରାଜ୍ୟରେ ୨୪୫ ହାତୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ଟି ହାତୀ ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି। ଏହି ସମୟ ଭିତରେ ୪୭ଜଣ ଗିରଫ ହୋଇଛନ୍ତି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଶିକାରୀଙ୍କଠାରୁ ୩୯ଟି ହାତୀଦାନ୍ତ, ଗୋଟିଏ ବାଘ ଛାଲ ଓ ୯ ବାଘନଖ ଜବତ ହୋଇଛି। କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନରୁ ସର୍ବାଧିକ ୧୬ ହାତୀଦାନ୍ତ ଜବତ ହୋଇଥିବାବେଳେ ମୟୂରଭଞ୍ଜରୁ ୧୨ଟି, ବାଲେଶ୍ୱରରୁ ୪ଟି, ଅନୁଗୋଳ, ଦେବଗଡ଼ ଓ ସୁବର୍ଣ୍ଣପୁର ଡିଭିଜନରୁ ୨ଟି ଲେଖାଏ ଏବଂ କଟକର ଆଠଗଡ ଡିଭିଜନରୁ ଗୋଟିଏ ହାତୀଦାନ୍ତ ଜବତ ହୋଇଛି। ଗିରଫ ହୋଇଥିବା ଶିକାରୀଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୮ଜଣ, ମୟୂରଭଞ୍ଜରୁ ୭ଜଣ, ସୁବର୍ଣ୍ଣପୁରରୁ ୬ଜଣ, କେନ୍ଦୁଝରରୁ ୫ଜଣ, ବୌଦ୍ଧରୁ ୪ଜଣ, କଳାହାଣ୍ଡି ଉତ୍ତର, ଅନୁଗୋଳ ଓ ଦେବଗଡ ବନ୍ୟପ୍ରାଣୀ ଡିଭିଜନରୁ ୩ଜଣ ଲେଖାଏ ଏବଂ କଟକ, ଆଠଗଡ ଓ କଳାହାଣ୍ଡି ଦକ୍ଷିଣ ଡିଭିଜନରୁ ୨ଜଣ ଲେଖାଏ ଗିରଫ ହୋଇଛନ୍ତି। ତେବେ କଳାହାଣ୍ଡି ଉତ୍ତର ଡିଭିଜନରୁ ଗୋଟିଏ ବାଘଛାଲ ସହିତ ୯ ବାଘନଖ ଜବତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

Related Posts