ହାଥରସ ଗଣଦୁଷ୍କର୍ମ ମାମଲା; ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୩ ଜଣଙ୍କୁ ଦୋଷ ମୁକ୍ତ କଲେ କୋର୍ଟ

ଭୁବନେଶ୍ୱର,୨/୩(ସତ୍ୟପାଠ ବ୍ୟୁରୋ): ଦେଶର ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ପରେ ହତ୍ୟାକାଣ୍ଡ ମାମଲାରେ କୋର୍ଟଙ୍କ ବଡ଼ ରାୟ ଆସିଛି। ଏହି ମାମଲାର ଅଭିଯୁକ୍ତ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉତ୍ତରପ୍ରଦେଶର କୋର୍ଟ ଦୋଷ ମୁକ୍ତ କରିଛନ୍ତି। ଏଥିସହ ମୁଖ୍ୟ ଅଭିଯୁକ୍ତ ସନ୍ଦିପ ସିଂହକୁ ଏସ୍‌ସି/ଏସ୍‌ଟି ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି।

ଏହି ମାମଲରେ ଅଭିଯୁକ୍ତ ଥିବା ୪ ଜଣ ହେଲେ ୨୦ ବର୍ଷିୟ ସନ୍ଦୀପ, ୩୫ ବର୍ଷିୟ ରବି, ୨୩ ବର୍ଷିୟ ଲବକୁଶ ଏବଂ ୨୬ ବର୍ଷିୟ ରାମୁ। ‘ଇଣ୍ଡିଆନ୍ ପେନାଲ୍ କୋଡ୍’ର ଧାରା ୩୦୪ ଏବଂ ‘ଏସ୍‌ସି/ଏସ୍‌ସି’ ଆଇନ ଅନୁଯାୟୀ ସନ୍ଦୀପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଅନ୍ୟପଟେ ପୀଡିତାଙ୍କ ପରିବାର ଲୋକେ କୋର୍ଟଙ୍କ ଏହି ରାୟରେ ସନ୍ତୁଷ୍ଟ ନଥିବା କହିଛନ୍ତି। ଏହାକୁ ନେଇ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୦ ସେପ୍ଟେମ୍ବର ୧୪ ତାରିଖରେ ଉତ୍ତର ପ୍ରଦେଶର ହାଥ୍‌ରସ୍ ଜିଲ୍ଲା ଅନ୍ତର୍ଗତ ବୁଲ୍‌ଗଡ଼ିରେ ଜଣେ ୧୯ ବର୍ଷୀୟ ଦଳିତ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ଘଟଣାର ୧୫ ଦିନ ପରେ ୨୯ ସେପ୍ଟେମ୍ବର ଦିନ ଦିଲ୍ଲୀର ସଫଦରଜଙ୍ଗ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ୨୯ ସେପ୍ଟେମ୍ବର ବିଳମ୍ବିତ ରାତିରେ ହିଁ ଉତ୍ତରପ୍ରଦେଶ ପୁଲିସ ପରିବାର ଲୋକଙ୍କ ବିନା ଅନୁମତିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲା। ଏହାକୁ ନେଇ ବିରୋଧୀ ଉତ୍ତରପ୍ରଦେଶ ସରକାର ଓ ପୋଲିସ ଉପରେ ପ୍ରଶ୍ନ ଉଠାଇଥିଲେ।

Related Posts