ଇତିହାସ ରଚିଲା ନାଗାଲାଣ୍ଡ; ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହେଲେ ମହିଳା ବିଧାୟକ

ଭୁବନେଶ୍ଵର,୨/୩(ସତ୍ୟପାଠ ବ୍ୟୁରୋ): ପୂର୍ବୋତ୍ତର ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡର ବିଧାନସଭା ଫଳାଫଳ ଆସିସାରିଛି ।ଯଦିଓ ସରକାରୀ ଭାବେ ସମ୍ପୂର୍ଣ୍ଣ ଫଳାଫଳ ଆସିନାହିଁ, କିନ୍ତୁ ୩ ରାଜ୍ୟର ଜନାଦେଶ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ନାଗାଲାଣ୍ଡ ଜନତା ଇତିହାସ ରଚିଛନ୍ତି । ରାଜ୍ୟରେ ପ୍ରଥମଥର ପାଇଁ କୌଣସି ମହିଳା ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଜେପିର ସହଯୋଗୀ ଦଳ ଏନଡିପିପି (ନ୍ୟାସନାଲ ଡେମୋକ୍ରେସି ପ୍ରୋଗ୍ରେସିଭ ପାର୍ଟିର ପ୍ରାର୍ଥୀନି ହେକାନୀ ଜଖାଲୁ ଦୀମାପୁର(୩) ତୃତୀୟ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ଏହି ବିଜୟ ସହ ହେକାନୀ ଜଖାଲୁ ରାଜ୍ୟର ପ୍ରଥମ ମହିଳା ବିଧାୟକ ହୋଇଛନ୍ତି ।

ହେକାନୀ ଜଖାଲୁ ଦୀମାପୁର(୩) ତୃତୀୟ ବିଧାନସଭା ଆସନରୁ ୧ ହଜାର ୫୩୬ ଭୋଟରେ ବିଜୟ ହାସଲ କରିଛନ୍ତି । ହେକାନୀ ଲୋକ ଜନଶକ୍ତି ପାର୍ଟି(ରାମବିଳାସ) ପ୍ରାର୍ଥୀ ଏଜେତୋ ଝିମୋମୀକୁ ପରାସ୍ତ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧ ଆସୁଥିବା ଟ୍ରେଣ୍ଡ ଅନୁସାରେ ଏନଡିପିପିର ଆଉ ଜଣେ ମହିଳା ପ୍ରାର୍ଥୀ ପଶ୍ଚିମୀ ଅଙ୍ଗାମୀରୁ ଆଗରେ ଚାଲିଛନ୍ତି ।

ନାଗାଲାଣ୍ଡ ରାଜ୍ୟ ଗଠନ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୪ ଥର ବିଧାନସଭା ନିର୍ବାଚନ ହୋଇଛି । କିନ୍ତୁ କୌଣସି ଥର କୌଣସି ମହିଳା ପ୍ରାର୍ଥୀ ବିଧାୟିକା ଭାବେ ନିର୍ବାଚିତ ହୋଇନଥିଲେ । ଚଳିତ ବିଧାନସଭା ନିର୍ବାଚନରେ ମୋଟ ୧୮୩ ଜଣ ପ୍ରାର୍ଥୀ ଥିଲେ । ଯେଉଁଥିରେ ୪ ଜଣ ମହିଳା ପ୍ରାର୍ଥୀ ମଧ୍ୟ ପ୍ରତିଦ୍ବନ୍ଦିତା କରୁଥିଲେ । ହେକାନୀ ଜଖାଲୁ, ସଲହୌତୁଔନୁଔ କ୍ରୁସ, ରୋଜି ଥାମ୍ପସନ ଓ କାହୁଲୀ ସେମା ମଧ୍ୟ ନିର୍ବାଚନ ମୈଦାନରେ ଅଛନ୍ତି ।

ନାଗାଲାଣ୍ଡ ନିର୍ବାଚନ ଇତିହାସରେ ବର୍ତ୍ତମାନ ସୁଦ୍ଧା ୨ ଜଣ ମହିଳା ସାଂସଦ ହିଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ବର୍ଷ ୧୯୭୭ ରେ ରାନୋ ମେସେ ସାଜିୟା ୟୁନାଇଟେଡ ଡେମୋକ୍ରେଟିକ ପାର୍ଟି ଟିକେଟରୁ ବିଜୟୀ ହୋଇ ଲୋକସଭା ପହଞ୍ଚିଥିଲେ । ରାନୋ ମେସେ ସାଜିୟା ନାଗଲାଣ୍ଡର ପ୍ରଥମ ନିର୍ବାଚିତ ମହିଳା ସାଂସଦ ଥିଲେ । ଏହା ପରେ ଗତବର୍ଷ ବିଜେପି ନାଗାଲାଣ୍ଡରୁ ଦଳୀୟ ନେତ୍ରୀ ଫାଙ୍ଗନୋନ କୌନ୍ୟାକଙ୍କୁ ରାଜ୍ୟସଭା ପଠାଇଛି ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋଙ୍କ ନେତୃତ୍ବାଧୀନ ଏନଡିପିପି ମେଣ୍ଟ ଦମଦାର ବିଜୟ ହାସଲ କରିଛି । ଏନଡିପିପି ମେଣ୍ଟ ସର୍ବଶେଷ ଖବର ସୁଦ୍ଧା ୩୬ ଟି ଆସନରେ ଆଗୁଆ ରହିଥିବା ବେଳେ, ଏନପିଏଫ ୨ଟି ଆସନ ସହ ଅନ୍ୟାନ୍ୟ ଦଳ ୨୫ ଟି ଆସନରେ ଆଗୁଆ ରହିଛନ୍ତି । ଚଳିତ ନିର୍ବାଚନରେ ବିଜେପି ୨୦ଟି ଓ ଏନଡିପିପି ୪୦ ଟି ଆସନରେ ଲଢୁଥିଲେ । ଗତ ୨୦୧୮ ବିଧାନସଭା ନିର୍ବାଚନ ବେଳେ ଏନଡିପିପି ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା । ଗତ ନିର୍ବାଚନରେ ମେଣ୍ଟ ୩୦ଟି ଆସନରେ ବିଜୟୀ ହୋଇଥିଲା ।

Related Posts