ଭୁବନେଶ୍ଵର,୩/୩(ସତ୍ୟପାଠ ବ୍ୟୁରୋ): ବିରଳ ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣ ସଂଲଗ୍ନ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ, ଗୋଖରକୁଦା ଓ ପୋଡ଼ମପେଟା ଗ୍ରାମ ନିକଟ ବଙ୍ଗୋପସାଗର ସମୁଦ୍ର ତଟରେ କଇଁଛମାନେ ଦଳ ଦଳ ହୋଇ ଆସି ଅଣ୍ଡା ଦେଉଛନ୍ତି । ଦୀର୍ଘ ୧ ସପ୍ତାହ ଧରି ଏହି ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ୬ ଲକ୍ଷ ୩୭ ହଜାର ୮ଟି କଇଁଛ ଅଣ୍ଡା ଦେଇ ପୁଣି ସମୁଦ୍ରକୁ ଫେରିଲେଣି । ଏହି ସଂଖ୍ୟା ପୂର୍ବର ସମସ୍ତ ରେକର୍ଡ ଭଙ୍ଗ କରିଛି । ବିଗତ ୨୮ ବର୍ଷର ରେକର୍ଡ ଭଙ୍ଗ କରି ୨୦୨୨ ମସିହାରେ ମୋଟ ୫ ଲକ୍ଷ ୫୦ କଇଁଛ ସାମୂହିକ ଅଣ୍ଡାଦାନ କରିଥିଲେ । ଏଥର ରେକର୍ଡ ତାହାକୁ ମଧ୍ୟ ପାର୍ କରିଛି ।
ଗତ ଗୁରୁବାର ସକାଳରୁ ଉଭୟ ଦିନ ଓ ରାତିରେ କଇଁଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଥିଲା । ଗତ ଗୁରୁବାର ସକାଳ ୭ଟାରୁ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ୧.୮୦ ଲକ୍ଷ, ଦ୍ୱିତୀୟ ଦିନ ୧.୩୮ ଲକ୍ଷ, ତୃତୀୟ ଦିନ ୧.୪୧ ଲକ୍ଷ, ଚତୁର୍ଥ ଦିନ ୯୨ ହଜାର ୫୨୩, ପଞ୍ଚମ ଦିନ ୫୨ ହଜାର, ଷଷ୍ଠ ଦିନ ୨୩ ହଜାର ୨୨୩ ଓ ଗତକାଲି ଅର୍ଥାତ୍ ବୁଧବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ମଧ୍ୟରେ ୧୩ ହଜାର ୩୭୬ଟି କଇଁଛ ଅଣ୍ଡାଦାନ କରିଛନ୍ତି । ପୂର୍ବ ବର୍ଷ ତୁଳନାରେ ଏଯାବତ୍ ଅଧିକ ୮୭ ହଜାର ୮ଟି କଇଁଛ ଅଣ୍ଡା ଦେଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ । ଚଳିତ ବର୍ଷ ସପ୍ତାହକ ମଧ୍ୟରେ ନୂଆ ରେକର୍ଡ ସୃଷ୍ଟି ପରେ ଏବେ ଧିରେ ଧିରେ ବିରଳ ସାମୁଦ୍ରିକ କଇଁଛଙ୍କ ସାମୂହିକ ଅଣ୍ଡାଦାନ ସଂଖ୍ୟା ହ୍ରାସ ପାଇଚାଲିଛି ବୋଲି ସୂଚନା ମିଳିଛି ।





