ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ବାଣ ବିସ୍ଫୋରଣରେ ଅଘଟଣରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ। ଏହାକୁ ଗୁରୁତର ଭାବେ ନେଇ ପୁରୀ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି। ଏନେଇ ଓଡ଼ିଶା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ବାଣ ତିଆରି କରୁଥିବା ବ୍ୟକ୍ତିଙ୍କ ଠାରେ ଲାଇାସେନ୍ସ ଥିଲା କି ନାହିଁ ? ଯଦି ନଥିଲା ତାହେଲେ କାହା ଅନୁମତିରେ ଏହା ଚାଲୁଥିଲା ? ଏସବୁ ଦିଗଗୁଡ଼ିକ ତଦନ୍ତ ପରିସରଭୁକ୍ତ ହେବ ବୋଲି ଜଣାପଡ଼ିଛି।
ଏବେ ଘଟଣା ସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି। ବାଣ ତିଆରି ଓ ବିକ୍ରୀ କରିବା ଲାଇସେନ୍ସ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଯାଇଥାଏ। ପର୍ବ ପର୍ବାଣୀ ବେଳେ ଜନ ସାଧାରଣଙ୍କ ବିଶୃଙ୍ଖଳା ଓ ଆଇନକୁ ନମାନି ଏଭଳି କାର୍ଯ୍ୟ କରିବାରୁ ଅଘଟଣ ଘଟୁଛି ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଏହାସହ ଜନ ସାଧାରଣ ସର୍ବଦା ପ୍ରଥମେ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ଅଗ୍ନିଶମ ଡିଜି ପରାମର୍ଶ ଦେଇଛନ୍ତି।
ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି | ସାଇଣ୍ଟିଫିକ୍ ଟିମ୍ ବାଣ ବିସ୍ଫୋରଣ ହୋଇଥିବା ଘର ବୁଲି ଦେଖିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି | ଟିମ ପକ୍ଷରୁ ଘଟଣାସ୍ଥଳରୁ ବାରୁଦ, ଗନ୍ଧକ, ଖାର, ସେଲୋଟେପ, କିଛି କାଗଜପତ୍ର, ସୁତୁଲି ଭଳି ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି |
ତେବେ ବାଣ ବିସ୍ଫୋରଣକୁ ନେଇ ବଡ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ | ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ବିନା ଅନୁମତିରେ ବାଣ ତିଆରି ହେଉଥିଲା | ଉଲ୍ଲେଖ ଥାଉ କି ଆଜି ସକାଳେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ତିଆରି ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା | ଏଥିରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ପ୍ରାଣହାନି ଘଟିଥିଲା । ଏହାଛଡ଼ା ବିସ୍ଫୋରଣରେ ୩ ଜଣ ଗୁରୁତର ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଜଣାଯାଇଛି। ସୂଚନା ମୁତାବକ ମାଲିକ ହଟ ବେହେରାଙ୍କ ପାଇଁ ମୃତାହତମାନେ ବାଣ ପ୍ରସ୍ତୁତ କରୁଥିଲେ।





