ଆଗକୁ ଘରୁ ଘରୁ ବିରୋଧ ଆରମ୍ଭ ହେବ, ସେତେବେଳେ ଜେଲ କମ ପଡିବ: ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି | ଢେଙ୍କାନାଳ ଜିଲ୍ଲା ସହ କଟକ ଜିଲ୍ଲା ନିଆଳି ଅଞ୍ଚଳର ଅନେକ କାର୍ଯ୍ୟକର୍ତ୍ତା କଂଗ୍ରେସ ଓ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହି କର୍ମୀମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଜେପିର ମେଣ୍ଟକୁ ଲୋକମାନେ ଗ୍ରହଣ କରିଛନ୍ତି । ଏହା ସହ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ନିନ୍ଦନୀୟ କହିବା ସାଙ୍ଗକୁ ଇଟାଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଥିବା ବେଳେ ରାହୁଲ ଅନ୍ୟ ଦେଶରେ ଯାଇ ଭାରତକୁ ଅପମାନିତ କରିବାକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇବା ସାଙ୍ଗକୁ ନବୀନ ସରକାରଙ୍କ ୨୩ ବର୍ଷ ଶାସନ କାଳର ପୂର୍ତ୍ତି ଅବସରରେ ତାତ୍ସଲ୍ୟ ଢଙ୍ଗରେ ଶୁଭେଚ୍ଛା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ଲୋୟର ପିଏମଜିର ସେଦିନର ଦୃଶ୍ୟ ସମସ୍ତେ ଦେଖିଛନ୍ତି । କେମିତି ଅନେକ ପୁଲିସ କର୍ମୀ ପୁଲିସ ଡ୍ରେସରେ ନଥାଇ ଯୁବମୋର୍ଚ୍ଚା କର୍ମୀଙ୍କୁ ମାଡ଼ ମାରିଛନ୍ତି, କିଛି ପୁଲିସ ଜୋତା ଖୋଲି ଯୁବମୋର୍ଚ୍ଚା କର୍ମୀଙ୍କୁ ମାରୁଥିଲେ ଏସବୁ ଭିଡ଼ିଓରୁ ରାଜ୍ୟର ଆଇନଶୃଙ୍ଖଳା କେମିତି ଅଛି ତାହା ସ୍ପଷ୍ଟ ହୋଇପଡୁଛି । କିଛି ଦିନ ପୂର୍ବରୁ ବାଣୀବିହାରରେ ଏବିଭିପିର କିଛି ସଦସ୍ୟ ସମ୍ବିଧାନ ବିରୋଧୀ ନାରାକୁ ବିରୋଧ କରିଥିଲେ ଏବଂ ତାକୁ ବିରୋଧ କରିବାରୁ ସେମାନେ ଏବେ ଜେଲରେ ଅଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡି ପଡିଛି, ଯିଏ ବିରୋଧ କଲା ତାକୁ ଜେଲ ଯିବାକୁ ପଡୁଛି ଏହି ଶାସନ ବ୍ୟବସ୍ଥା ପାଇଁ କୃତଜ୍ଞ ବୋଲି କହିବା ସାଙ୍ଗକୁ ଆଗାମୀ ଦିନରେ ଏମିତି ବିରୋଧ ଘରୁ ଘରୁ ଆରମ୍ଭ ହେବ ସେତେବେଳେ ଜେଲ କମ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Related Posts