ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଝିଅ କେ.କବିତା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହେବେନାହିଁ। ଏହି ମାମଲାରେ ଆଜି ତାଙ୍କୁ ଇଡି ଜେରା କରିଥାନ୍ତା। ହେଲେ କବିତା ଏଥିପାଇଁ ସମୟ ମାଗିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ବିଆରଏସ ନେତ୍ରୀ କେ.କବିତା କହିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଏକ ବୟାନ ଜାରି କରି କେ. କବିତା କହିଛନ୍ତି ଯେ, ଇଡି ପକ୍ଷରୁ ତାଙ୍କୁ ଏତେ ଶୀଘ୍ର କାହିଁକି ଡକାଗଲା ତାହା ସେ ବୁଝିବାକୁ ଅସମର୍ଥ। ଏହାକୁ ଏକ ରାଜନୈତିକ ଅତ୍ୟାଚାର ଆଖ୍ୟା ଦେଇ କବିତା କହିଛନ୍ତି ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଚାଲିଥିବା ତଦନ୍ତରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ମାର୍ଚ୍ଚ ୧୧ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ସେ ହାଜର ହେବେ। ତଦନ୍ତରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ଅନୁସାରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ଆଜି ହାଜର ହେବା ଲାଗି କେ.କବିତାଙ୍କୁ ଇଡି ସମନ୍ ଜାରି କରିଥିଲା। ହେଲେ ସେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ମନିଲଣ୍ଡ୍ରିଂ ଦିଗରେ ଯାଞ୍ଚ କରୁଛି।
ଏହି ମାମଲାରେ ହାଇଦ୍ରାବାଦ ବ୍ୟବସାୟୀ ଅରୁପ ରାମଚନ୍ଦ୍ର ପିଲ୍ଲାଇଙ୍କୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଯାଇଛି। ଅରୁଣ ଓ କବିତାଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଜେରା ସମୟରେ ଅରୁଣ କବିତାଙ୍କ ନାଁ ପ୍ରକାଶ କରିଥିଲେ। ମଦ ନୀତି ବଦଳାଇବା ପାଇଁ ଆମ ଆଦମୀ ପାର୍ଟିକୁ ଅରୁପ ପିଲ୍ଲାଇ ୧୦୦କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ପୂର୍ବରୁ ଗତ ଡିସେମ୍ବର ୧୨ ତାରିଖରେ ମଧ୍ୟ କେ.କବିତାଙ୍କୁ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଇଡି ପକ୍ଷରୁ ପାଖାପାଖି ୭ ଘଣ୍ଟା ଧରି ଜେରା କରାଯାଇଥିଲା।





