ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଶୁକ୍ରବାରଠୁ ଆରମ୍ଭ ହେବ ମାଟ୍ରିକ ସମେଟିଭ-୨ ପରୀକ୍ଷା। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ତେବେ ପ୍ରଥମ ଦିନ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର ୧ ଘଣ୍ଟା ପୂର୍ବରୁ ପହଞ୍ଚିବେ। ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ ପେନ, ଆର୍ଡମିଟ କାର୍ଡ ଓ ଜୋମେଟ୍ରି ବକ୍ସ ନେଇ ଯିବେ। ଯେଉଁଦିନ ପରୀକ୍ଷା ସେହିଦିନ ସେହି ବିଷୟର ପ୍ରଶ୍ନପତ୍ର ପୋଲିସ ଏସ୍କର୍ଟ ରେ ଯାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ଓ ଉପସଭାପତି ନିହାର ରଞ୍ଜନ ମହାନ୍ତି।
ସେ କହିଛନ୍ତି ଯେ, ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ୫,୪୧,୨୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ୩,୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ମୋଟ ୩୧୬ଟି ନୋଡାଲ ସେଣ୍ଟର କରିଯାଇଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି।
ସେହିପରି କପି ରୋକିବା ପାଇଁ ମୋଟ ୭୪ଟି ସ୍କ୍ବାର୍ଡ କରାଯାଇଥିବା ବେଳେ ସେଥି ମଧ୍ୟରୁ ବୋର୍ଡ ପକ୍ଷରୁ ୩୬ଟି ସ୍କ୍ବାର୍ଡ କରାଯାଇଛି । ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇ ପାରିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।





