ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ପୁଣି ଗୃହରେ ଉଠିବ ନବ ଦାସ ହତ୍ୟା ପ୍ରସଙ୍ଗ: ନରସିଂହ ମିଶ୍ର

ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହାରି ଭିତରେ ଗୃହରେ କ’ଣ ପ୍ରସଙ୍ଗ ଉଠିବ ସେ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏଥର ବି ବିଧାନସଭାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠିବ । ଖଣି ଦୁର୍ନୀତି, ଦରଦାମ ବୃଦ୍ଧି, ବିଦ୍ୟୁତ କାଟ୍ ବିଷୟରେ ଆଲୋଚନା ହେବ ।

ସେହିପରି ନବ ଦାସ ହତ୍ୟାକାଣ୍ଡ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି କୌଣସି ନିର୍ଯାସ ବାହାରି ପାରିନି । କାହିଁକି ହତ୍ୟା ହେଲା ଏବେ ଯାଏଁ ଜଣା ପଡୁନାହିଁ । ଗୃହରେ ସରକାର ମିଥ୍ୟା ତଥ୍ୟ ଦେଉଛନ୍ତି। କ୍ରାଇମବ୍ରାଞ୍ଚ ସାମ୍ବାଦିକ ସମ୍ମିଳନୀ କରି ସତ କହୁ । ଲୋକଙ୍କ ମନରେ ଥିବା ଦ୍ଵନ୍ଦ ଦୂର ହେବ । ଷଡଯନ୍ତ୍ର ସମ୍ପର୍କରେ ସ୍ୱୀକାର କରିଛନ୍ତି ସରକାର । କିନ୍ତୁ ଏ ଦିଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କିଛି କହିଲେ ନାହିଁ । ଷଡଯନ୍ତ୍ର ସମ୍ପର୍କରେ ତଦନ୍ତ ହେଉଛି କିନ୍ତୁ ସରକାର ଲୁଚାଉଛନ୍ତି ବୋଲି ନରସିଂହ କହିଛନ୍ତି । ସେଥିପାଇଁ ସନ୍ଦେହ ବଢୁଛି, ସସପେକ୍ଟ କିଏ ? ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ସେହିପରି ଅନ୍ୟ ପ୍ରସଙ୍ଗ ମଧ୍ୟରେ ଚାଷୀ ସମସ୍ୟା ଉତ୍କଟ କଥା ବି ଉଠିବ ବୋଲି ସେ କହିଛନ୍ତି।

Related Posts