‘ଦୁଇ ଅଣଓଡ଼ିଆ ଅଫିସର ପରଦା ପଛର ମୁଖ୍ୟ ନାୟକ’; ନବ ଦାସ ହତ୍ୟାକାଣ୍ଡକୁ ନେଇ ପୁଣି ବର୍ଷିଲେ ବିଜୟ ମହାପାତ୍ର

ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଦୁଇ ଅଣ ଓଡ଼ିଆ ଅଫିସର ନବ ଦାସ ହତ୍ୟାକାଣ୍ଡର ପରଦା ପଛର ମୁଖ୍ୟ ନାୟକ। ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସ୍‌ ଓ ଜଣେ ଆଇପିଏସ୍‌ ଅଫିସର। ସେମାନେ ଏହି ଘଟଣାର ପ୍ରକୃତ ତଦନ୍ତ ଚାହୁଁ ନାହାନ୍ତି। ପରଦା ପଛରେ ଓ ବାହାରେ ସେମାନେ ହିଁ ଘଟଣାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସମ୍ପୃକ୍ତ ଅଫିସରଙ୍କ ଅହଂକାର ଚରମ ସୀମାରେ ପହଂଚି ଗଲାଣି । ନବ ଦାସ ହତ୍ୟାକାଣ୍ଡକୁ ୪୦ ଦିନ ବିତିଥିଲେ ସୁଦ୍ଧା ଏଯାଏଁ ହତ୍ୟା ପଛର କାରଣ ଜଣା ପଡ଼ିନଥିବାବେଳେ ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ୪୦ ଦିନରେ ପହଞ୍ଚିଲାଣି। ହେଲେ ମୃତ୍ୟୁ ପଛର ରହସ୍ୟ କ’ଣ ସେ ନେଇ କ୍ରାଇମବ୍ରାଞ୍ଚ ପାଖରେ କିଛି ବି ସୁରାଗ ନାହିଁ। ଏହା ଏକ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ହୋଇଥିବା ବେଳେ ଏହାକୁ ମାମୁଲି ଭାବେ ନିଆଯାଉଛି। କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେବାକୁ ଚାହୁଁ ନାହାନ୍ତି। ଏହାର ତଦନ୍ତକୁ ଜଲଦି ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ଷଡ଼ଯନ୍ତ୍ର ଚାଲିଛି। ଛୋଟ ଛୋଟ ମାମଲାରେ ପୋଲିସ ୧୨୦ (ବି) ଦଫା ଲଗାଉଛି। ହେଲେ ଏତେବଡ଼ ହତ୍ୟାକାଣ୍ଡରେ ୧୨୦ (ବି) ଦଫା ଲଗାଯାଇ ନାହିଁ। ଏହି ଦଫା ଲାଗିନି ବୋଲି ଷଡ଼ଯନ୍ତ୍ର ଦିଗ ଉପରେ ତଦନ୍ତ ହେଉନାହିଁ। ଏହା ଓଡ଼ିଶାରେ ଏକ ଭୟଙ୍କର ଅଧ୍ୟାୟ ସୃଷ୍ଟି କରିବ।’ ନବ ଦାସ ହତ୍ୟାକାଣ୍ଡ ନେଇ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର।

ସେ ଆହୁରି କହିଛନ୍ତି ଯେ, ସେ ଅଞ୍ଚଳର କିଛି ସ୍ଥାନୀୟ ନେତା ଘଟଣା ପଛରେ ଥିବା ଷଡଯନ୍ତ୍ର ବିଷୟରେ ଜାଣିଛନ୍ତି। ସେଠାକାର କିଛି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଗଣମାଧ୍ୟମ ସାମ୍ନାରେ ମୁହଁ ନ ଖୋଲିବାକୁ ଧମକ ଦିଆଯାଇଛି। ହତ୍ୟା ବିଷୟରେ କିଛି ନକହିବାକୁ ପୋଲିସ ସେମାନଙ୍କୁ ଧମକ ଦେଇଛି ବୋଲି ବିଜୟ ମହାପାତ୍ର ବଡ ଅଭିଯୋଗ ଆଣିଛନ୍ତି।

ସେହିପରି ଏହି ଘଟଣାର ତଦନ୍ତ ଭାର FBIକୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ। ଇତି ମଧ୍ୟରେ ବିବୃତି ଦେବାକୁ ୧୫ ଦିନ ବିତି ଗଲାଣି। FBI ତଦନ୍ତର ଅଗ୍ରଗତି କେତେ ବାଟ ହେଲା ସେ ନେଇ ଆଉ କିଛି ବିବୃତି ଦିଆଯାଉନି। ରାଜ୍ୟରେ ବହୁ ଦକ୍ଷ ଓ ଅଭିଜ୍ଞ ପୁଲିସ୍‌ ଅଫିସର ଅଛନ୍ତି। ହେଲେ ଅଭିଜ୍ଞ ଓ ଦକ୍ଷ ଅଫିସରଙ୍କ ସାହାଯ୍ୟ ନ ନେଇ ଏକଚାଟିଆ ଭାବେ ଏହାର ତଦନ୍ତ କରାଯାଉଛି। ଜାଣିଶୁଣି ଏହି ଘଟଣାକୁ ଚପାଇ ଦିଆଯାଇଛି ବୋଲି କହିଛନ୍ତି ବିଜୟ ମହାପାତ୍ର।

ଏଥିସହ ସହ କହିଛନ୍ତି, ନବ ଦାସ ମର୍ଡର କେସ୍‌ର ତଦନ୍ତ ଗୋପାଳ କେନ୍ଦ୍ରିକ ହେଉଥିବା ବେଳେ ଅନ୍ୟ ଦିଗକୁ କ୍ରାଇମବ୍ରାଞ୍ଚ ଗୁରୁତ୍ୱ ଦେଉନି। ସବୁ ଦିଗରୁ ତଦନ୍ତ ହେଉନି। କେବଳ ଗୋପାଳର ଚିକିତ୍ସା, ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟରେ କେସ୍‌କୁ ସୀମିତ କରାଯାଉଛି। ଗୋପାଳକୁ ପାଗଳ ଆଖ୍ୟା ଦେବାକୁ କ୍ରାଇମବ୍ରାଞ୍ଚ ତଥା ରାଜ୍ୟ ସରକାର ଖୁବ୍‌ ବ୍ୟଗ୍ର। ହେଲେ ସେ କେଉଁଠି ମାନସିକ ରୋଗର ଚିକିତ୍ସା ହେଉଥିବା ନଜର ନାହିଁ। ମେଡିକାଲ ବୋର୍ଡ ରିପୋର୍ଟରେ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ କୋର୍ଟ ବି ସେଥିରେ ମୋହର ମାରିଛନ୍ତି।

ନବ ମାସ ହତ୍ୟା ଘଟଣାର ଅଧ ଘଣ୍ଟା ଭିତରେ ଗୋପାଳ ଦାସ ପାଗଳ ବୋଲି ପ୍ରଚାର କରାଗଲା। ଗୋପାଳକୁ ସୁରକ୍ଷିତ ରଖିବା ପାଇଁ ଯେଉଁମାନେ କାହାଣୀ ରଚିଛନ୍ତି ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉନି। ଏଥିରେ କିଛି ବଡ଼ ବଡ଼ିଆ ଲୋକେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଯେଉଁମାନେ ଏହି ଘଟଣାର ପ୍ଲାନ କରିଥିଲେ, ଦି ତିନି ଦିନ ପୂର୍ବରୁ ଗୋପାଳ କେଉଁଠି ଚଳପ୍ରଚଳ କରୁଥିଲା, ରାତି କାଟୁଥିଲା ତାହାର ତଦନ୍ତ କରାଗଲାନି ବୋଲି କହି ବର୍ଷିଛନ୍ତି ବିଜୟ ମହାପାତ୍ର।

ଜଣେ ମନ୍ତ୍ରୀଙ୍କୁ ପୁଲିସ୍‌ ଗୁଳି କରିବା ସମଗ୍ର ଭାରତ ବର୍ଷରେ ପ୍ରଥମ ହୋଇଥିବା ବେଳେ ପୁଲିସ୍‌ ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଯିବ। ଜଷ୍ଟିସ ଦାସ ଘଟଣାର ସୁପରଭାଇଜ କରିବେ ବୋଲି କୁହାଗଲା। ମାତ୍ର ସେ କେବେ ସୁପରଭାଇଜ କଲେ ଓ କ’ଣ କଲେ ତାହା କାହାକୁ ଜଣାପଡ଼ିଲାନି ବୋଲି କହିଛନ୍ତି ବିଜୟ ମହାପାତ୍ର।

ଏଥିସହ ସେ କହିଛନ୍ତି, ସତ ପଦାକୁ ନ ଆସିଲା ଯାଏ ରାଜ୍ୟ ସରକାର, ପୁଲିସ୍‌, କ୍ରାଇମବ୍ରାଞ୍ଚ ସମସ୍ତେ ସନ୍ଦେହ ଘେରରେ ରହିବେ। ସନ୍ଦେହର ନିଆଁ ଜଲଦି ଲିଭିବ ନାହିଁ ନବ ଦାସ ମର୍ଡର ପଛର କାରଣ କ’ଣ ତାହା ସାମନାକୁ ନ ଆସିଲା ଯାଏ ଲୋକେ ଏହାକୁ ସହଜେ ଭୁଲିବେ ନାହିଁ। ଦୀପାଳି ଦାସ ତଦନ୍ତରେ ସନ୍ତୁଷ୍ଟ ଥିବା ନେଇ ବିଜୟ ମହାପାତ୍ର କହିଛନ୍ତି, ଏହା କେବଳ ଦୀପାଳିଙ୍କ କେସ୍‌ ନୁହେଁ, ଏହା ସମ୍ପୂର୍ଣ୍ଣ ଓଡ଼ିଶାବାସୀଙ୍କ କେସ୍‌। ସତ ପଦାକୁ ଆସୁ ବୋଲି ଦିପାଳୀଙ୍କର ବି ଇଚ୍ଛା ଥିବ।

ଏଥିସହ ସେ କହିଛନ୍ତି, ରାଜ୍ୟର ପୁଲିସ୍‌ ମୁଖିଆ ହିସାବରେ ଡିଜି ଏହାର ଉତ୍ତର ରଖିବା ଉଚିତ। କେବଳ ଜଗନ୍ନାଥ ଜାଣିଛନ୍ତି କହି ବସିଦେଲେ ହେବ ନାହିଁ, ଜଗନ୍ନାଥ କ’ଣ ଏଫବିଆଇ ତଦନ୍ତ ପାଇଁ କହିଥିଲେ। ଏହା ଜଣେ ଡିଜିଙ୍କ ମନ୍ତବ୍ୟ ହେବା ଉଚିତ ନୁହେଁ।

Related Posts