ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): 18football.Com ବେଟିଂ ଆପ୍ରେ ହଜାର କୋଟି ଟଙ୍କାର ଠକେଇ ଘଟଣା। ଅଭିଯୁକ୍ତ ମହମ୍ମଦ ସୈଫ୍ ନାଁରେ ଲୁକଆଉଟ୍ ସର୍କୁଲାର ଜାରି। ଇଓଡବ୍ଲ୍ୟୁ ଦିଲ୍ଲୀ ସାହିନବାଗର ମହମ୍ମଦ ସୈଫ ନାଁରେ ଲୁକଆଉଟ୍ ସର୍କୁଲାର ଜାରି କରିଛି। ଏହି ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ମହମ୍ମଦ ସୈଫ। ସେ ଦୁବାଇରୁ ଏହି ସ୍କାମ କଣ୍ଟ୍ରୋଲ କରୁଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଫେବୃଆରୀ ୧୫ ତାରିଖରେ ଗଞ୍ଜାମର କିଛି ଲୋକ 18football.Com ନାମକ ଏକ ବେନାମୀ ବେଟିଂ ଆପ୍ କମ୍ପାନୀ ଜରିଆରେ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏହା ଏକ ବଡ ରାକେଟ୍ ବୋଲି ଜଣାପଡ଼ିଥିଲା। ଟେଲିଗ୍ରାମ ଜରିଆରେ ଏହି ଆପ୍ ଲୋକଙ୍କ ପାଖରେ ପହଞ୍ଚୁଥିଲା। ଅନଲାଇନରେ ପୁଞ୍ଜି ନିବେଶ କରି ଲୋକଙ୍କୁ ଠକିବା ଏହାର ଉଦ୍ଦେଶ୍ୟ ଥିଲା।
ମାସକୁ ୧୦ ପ୍ରତିଶତ ସୁଧ ଦେବା ଆଶାରେ କୋଟି କୋଟି ଟଙ୍କାର ଚୂନା ଲଗାଇଛି। ୨୦୨୧ରେ ଏହି ବେଟିଂ କମ୍ପାନୀ ଭାରତରେ କେବଳ ଶହେରୁ ଉର୍ଦ୍ଧ୍ଵ ଏଜେଣ୍ଟ ରଖି ଠକେଇର ଜାଲ ପକାଇଥିଲା। ଲୋକଙ୍କୁ ଭୂତାଇ ଓଡ଼ିଶାରୁ କେବଳ ୨୦ କୋଟି ଟଙ୍କାର ଠକେଇ କରିଥିଲା। ଏହି ଠକ ସଂସ୍ଥାର ୧୭ଟି ଆକାଉଣ୍ଟରେ ଥିବା ୧୦୮ କୋଟି ଟଙ୍କା ଠାବ କରିଥିଲା ଇଓଡବ୍ଲ୍ୟୁ। ଏହି ଗ୍ୟାଙ୍ଗର ମୁଖ୍ୟ ଚାଇନାରେ ଲୁଚି ରହିଥିବା ବେଳେ ଏହା ଦୁବାଇରୁ ଅପରେଟ୍ ହେଉଥିବା ଜଣାପଡ଼ିଥିଲା।





