ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଆଫଗାନିସ୍ତାନରେ ପ୍ରଶାସନିକ ବୈଠକ ସମୟରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ବଲଖ୍ ପ୍ରଦେଶର ତାଲିବାନୀ ଗଭର୍ଣ୍ଣର ଦାଉଦ ମୁଜାମିଲଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁସାରେ, ଏହି ବିସ୍ଫୋରଣ ଏକ ପ୍ରଶାସନିକ ବୈଠକ ବେଳେ ହୋଇଥିଲା। ଗଭର୍ଣ୍ଣରଙ୍କ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଆକ୍ରମଣ ଘଟଣା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ।
ମିଳିଥିବା ସୂଚନା ଅନୁସାରେ, ଦାଉଦ ମୁଜାମିଲ୍ଲଙ୍କ ବ୍ୟତୀତ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ଗୁରୁବାର ସକାଳେ ହୋଇଥିଲା। ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ଏହା କିଭଳି ବିସ୍ଫୋରଣ ଥିଲା। ଏପରିକି ଗଣମାଧ୍ୟମର କହିବା ଅନୁସାରେ, ବିସ୍ଫୋରଣ କୌଣସି ଷଡଯନ୍ତ୍ର ଅନୁଯାୟୀ କରାଯାଇଥିଲା, ଯେଉଁଥିରେ ତାଲିବାନ ନେତାଙ୍କୁ ଟାର୍ଗେଟ କରାଯାଇଥିଲା।
ଏହା ପୂର୍ବରୁ ଆଫଗାନିସ୍ତାନ ରାଜଧାନୀ କାବୁଲରେ ବୈଦେଶିକ ମନ୍ତ୍ରଣାଳୟର ବିଲ୍ଡିଂ ବାହାରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏଥିରେ ଅତି କମ୍ରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଆକ୍ରମଣରେ ଶତାଧିକ ଲୋକ ଆହତ ହୋଇଥିଲେ। ଏହାର କିଛି ଦିନ ପୂର୍ବରୁ କାବୁଲର ସାମରିକ ବିମାନ ଆଡ୍ଡା ନିକଟରେ ବିସ୍ଫୋରଣ ହୋଇଥିଲା। ୧୨ ଡିସେମ୍ବରରେ କାବୁଲର ଏକ ହୋଟେଲକୁ ଆକ୍ରମଣକାରୀ ଟାର୍ଗେଟ କରିଥିଲେ। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।





