‘କଂଗ୍ରେସରେ ଲୋକଙ୍କ ଆସ୍ଥାଭାଜନ ହେବାଭଳି ନେତା ନାହାନ୍ତି’: ମହମ୍ମଦ ମୋକିମ

ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଦୀର୍ଘଦିନ ଧରି ନିଜ ଦଳରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ମଧ୍ୟରେ ଆଜି କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ନିଜ ଦଳର ନେତୃତ୍ବକୁ ତେରଚ୍ଛା ବାଣ ମାରିଛନ୍ତି। ମୋକିମ କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ରହିଛି। ହେଲେ କଂଗ୍ରେସରେ ଲୋକଙ୍କ ଆସ୍ଥାଭାଜନ ହେବାଭଳି ନେତା ନାହାନ୍ତି। ଜାନକୀ ବଲ୍ଲଭ ପଟ୍ଟନାୟକ, ବସନ୍ତ ବିଶ୍ୱାଳ, ହେମାନନ୍ଦ ବିଶ୍ବାଳଙ୍କ ପରେ ଆଉ କଂଗ୍ରେସରେ ସେମିତି କୌଣସି ବଡ଼ ଚେହେରା ନାହାନ୍ତି ବୋଲି ସେ କହିଛନ୍ତି। ଦଳରେ ଏହିଭଳି ବଡ ନେତା ନଥିବାରୁ କଂଗ୍ରେସ ଏବେ ସୁପ୍ତ ଅବସ୍ଥାକୁ ଚାଲିଗଲାଣି ବୋଲି ମୋକିମ କହିଛନ୍ତି।

କଂଗ୍ରେସକୁ ଟ୍ରାକକୁ ଫେରାଇବା ଭଳି ପ୍ରଚେଷ୍ଟା ଏପର୍ଯ୍ୟନ୍ତ ଦଳରେ ଆରମ୍ଭ ହୋଇନି। ତେଣୁ ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନକଲେ ସ୍ଥିତି ଆହୁରି ଖରାପ ହେବ।ଆଗକୁ ନିର୍ବାଚନ ରହିଛି। ସମୟ କମ ରହିଛି। ତେଣୁ ଏବେ ସକ୍ରିୟ ହେବା ଆବଶ୍ୟକ। ସମୟ ଚାଲି ଗଲେ ଆଉ କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟକର ହେବ। ବାସ୍ତବ ସ୍ଥିତି ଦେଖି କଂଗ୍ରେସ ନେତା ଏବେ କଂଗ୍ରେସ ଭବନରେ ନରହି ଫିଲଡକୁ ଯାଇ ପରିଶ୍ରମ କରିବା ଆବଶ୍ୟକ ବୋଲି କଂଗ୍ରେସର ଅସନ୍ତୁଷ୍ଟ ବିଧାୟକ ମହମ୍ମଦ ମୋକିମ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମହମ୍ମଦ ମୋକିମ ରାଜ୍ଯ କଂଗ୍ରେସର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଶରତ ପଟ୍ଟନାୟକ ପିସିସି ସଭାପତି ହେବାପରେ ମୋକିମ ଅସନ୍ତୁଷ୍ଟ ହୋଇପଡ଼ିଥିବା ଜଣାପଡ଼ିଛି। ଏପରିକି ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳର ନିର୍ଦ୍ଦେଶକୁ ନ ମାନି ସେ ଏନଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିଥିଲେ ମୋକିମ। ଏହାପରଠୁ ମୋକିମ ଦଳ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ହେଉଛି। ହେଲେ ସେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।

Related Posts