ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଛନ୍ଦି ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ୍ ନେତ୍ରୀ କେ କବିତା ଗତକାଲି ରାତିରେ ଦିଲ୍ଲୀ ପହଞ୍ଚିଥିଲେ। ଆଜି ତଦନ୍ତକାରୀ ସଂସ୍ଥା ଇଡି ଆଗରେ ହାଜର ହେବାର ଥିଲା। କିନ୍ତୁ ସେ ୧୧ ତାରିଖରେ ହାଜର ହେବେ କହି ଇଡି କୁ ସମୟ ଲୋଡିଛନ୍ତି ଯାହାକୁ ଅନୁମିତି ମିଳିଥିବା ସୂଚନା ରହିଛି। ତେବେ ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କେନ୍ଦ୍ର ସରକାର, କେନ୍ଦ୍ରୀୟ ଏଜେନ୍ସୀ ଓ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଆଉ ଜାତୀୟ ଦଳ ହୋଇ ନାହିଁ।
କେ. କବିତା ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ କହିଛନ୍ତି, କଂଗ୍ରେସ ଆଉ ଜାତୀୟ ଦଳ ହୋଇ ନାହିଁ। କେବେ କଂଗ୍ରେସ ନିଜ ଅହଙ୍କାର ଛାଡ଼ି ବାସ୍ତବସ୍ଥିତି ବୁଝିବ ତାହା ଜଣାନାହିଁ। ଏବେ କିନ୍ତୁ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ପଡ଼ିବ। ହେଲେ କଂଗ୍ରେସର ଆଭିମୁଖ୍ୟ କଣ ଏହା ପଚାରିବାକୁ ହେବ ବୋଲି ଗଣମାଧ୍ଯମକୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଯଦି କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ଚାହୁଁଛି, ତେବେ ‘ଟିମ ପ୍ଲେୟାର’ ଭାବେ କାମ କରିବା ଆବଶ୍ୟକ ଏବଂ ଆଞ୍ଚଳିକ ଦଳ ସହ ହାତ ମିଳାଇବା ଦରକାର।
କବିତା ଅଭିଯୋଗ କରିଛନ୍ତି ଯେ ‘ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ଲଗାତାର ନିଜର ଏଜେନ୍ସିକୁ ରାଜ୍ୟକୁ ପଠାଉଛି। ଆୟକର ବିଭାଗ ତେଲେଙ୍ଗାନାରେ ୫୦୦ ଟି ସ୍ଥାନରେ ଚଢ଼ାଉ କରିଥିବା ବେଳେ ସିବିଆଇ ୧୦୦ ଓ ଇଡି ୨୦୦ ଥର ଚଢ଼ାଉ କରିଛି। କାରଣ ଏହା ନିର୍ବାଚନ ବର୍ଷ।’ ସେ ଆହୁରି କହିଛନ୍ତି, ଯଦି କୌଣସି ମହିଳାଙ୍କୁ କେନ୍ଦ୍ରୀୟ ଏଜେନ୍ସି ପଚରାଉଚାରା କରନ୍ତି, ତେବେ ଆଇନ ଅନୁସାରେ ମହିଳାଙ୍କ ଘରେ ପଚରାଉଚାରା କରିବାର ମୌଳିକ ଅଧିକାର ରହିଛି। ସେଥିପାଇଁ ତାଙ୍କୁ ତାଙ୍କ ବାସଭବନ ରେ ଜେରା କରାଯାଉ ବୋଲି ସେ କହିଛନ୍ତି। ଏହି ଅବକାରୀ ଦୁର୍ନୀତି ମାମଲାରେ ତାଙ୍କର କୌଣସି ଭୂମିକା ନାହିଁ କୌଣସି କାରଣ ନଥାଇ ତାଙ୍କୁ ଏଥିରେ ଟଣା ଯାଉଛି ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ଆଜି ହାଜର ହେବା ଲାଗି କେ.କବିତାଙ୍କୁ ଇଡି ସମନ୍ ଜାରି କରିଥିଲା। ହେଲେ ସେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ମନିଲଣ୍ଡ୍ରିଂ ଦିଗରେ ଯାଞ୍ଚ କରୁଛି।
ଏହି ମାମଲାରେ ହାଇଦ୍ରାବାଦ ବ୍ୟବସାୟୀ ଅରୁପ ରାମଚନ୍ଦ୍ର ପିଲ୍ଲାଇଙ୍କୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଯାଇଛି। ଅରୁଣ ଓ କବିତାଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଜେରା ସମୟରେ ଅରୁଣ କବିତାଙ୍କ ନାଁ ପ୍ରକାଶ କରିଥିଲେ। ମଦ ନୀତି ବଦଳାଇବା ପାଇଁ ଆମ ଆଦମୀ ପାର୍ଟିକୁ ଅରୁପ ପିଲ୍ଲାଇ ୧୦୦କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ପୂର୍ବରୁ ଗତ ଡିସେମ୍ବର ୧୨ ତାରିଖରେ ମଧ୍ୟ କେ.କବିତାଙ୍କୁ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଇଡି ପକ୍ଷରୁ ପାଖାପାଖି ୭ ଘଣ୍ଟା ଧରି ଜେରା କରାଯାଇଥିଲା।





