ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ସିବିଆଇ ପରେ ମନୀଷ ସିସୋଦିଆଙ୍କୁ ଗିରଫ ଦର୍ଶାଇଛି ଇଡି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗୁରୁବାର ତିହାର ଜେଲ ପରିସରରେ ଜେରା ପରେ ଗିରଫ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗୁରୁବାର ଦିନ ୧୦ଟାରୁ ତିହାର ଜେଲରେ ସିସୋଦିଆଙ୍କୁ ଜେରା ଆରମ୍ଭ କରିଥିଲା ଇଡି। ଜେରା ପରେ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆଙ୍କୁ ଇଡି ଗିରଫ ଦର୍ଶାଇଛି ।
ତେବେ ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଏବେ ସୁଦ୍ଧା ଇଡି ୧୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ବୟାନ ଆଧାରରେ ଇଡି ସିସୋଦିଆଙ୍କୁ ଜେରା କରିଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେରା ବେଳେ ସିସୋଦିଆଙ୍କୁ କେସିଆରଙ୍କ ଝିଅ କେ.କବିତାଙ୍କ ଭୂମିକା ଓ ୧୦୦ କୋଟି ଟଙ୍କା ଦେଣନେଣ ନେଇ ଇଡି ପ୍ରଶ୍ନ କରିଥିଲା । ଯାହାର ସନ୍ତୋଷଜନକ ଉତ୍ତର ସିସୋଦିଆ ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
ଇଡି ଅନୁସାରେ, ଅବକାରୀ ନୀତି ପଲିସି ପ୍ରଣୟନ ବେଳେ ସିସୋଦିଆ ପ୍ରାୟ ୭ଟି ମୋବାଇଲ୍ ଫୋନ୍ ଓ ସିମ୍ କାର୍ଡ ବ୍ୟବହାର କରି ନଷ୍ଟ କରି ଦେଇଥିଲେ । ଆଉ ଯାହା ଉପରେ ପ୍ରଶ୍ନ ବେଳେ ସିସୋଦିଆ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଯାହାକି ପୂର୍ବରୁ ଇଡି ଚାର୍ଜସିଟରେ ଉଲ୍ଲେଖ କରିଥିଲା ।
ଆଜି ଇଡି ସିସୋଦିଆଙ୍କୁ କୋର୍ଟରେ ହାଜର କରିବା ପରେ ରିମାଣ୍ଡ ଆବେଦନ କରିବ ବୋଲି ଜଣାପଡ଼ିଛି । ସିସୋଦିଆଙ୍କୁ ଇଡି ଗିରଫ ଦର୍ଶାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କେଜ୍ରିୱାଲ୍ କହିଛନ୍ତି, ସିବିଆଇ କିଛି ପ୍ରମାଣ ନ ପାଇ ସିସୋଦିଆଙ୍କୁ ଗିରଫ କଲା । ଆଜି ଇଡି ଗିରଫ କରିଛି । ଯୋଜନାବଦ୍ଧ ଭାବେ ନୂଆ ନୂଆ ମିଛ ମାମଲା ହେଉଥିବା କହିଛନ୍ତି କେଜ୍ରିୱାଲ୍ ।
ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୨୬ ତାରିଖରେ ଦୀର୍ଘ ୮ ଘଣ୍ଟା ଧରି ପଚରାଉଚରା ପରେ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା। ଏହାପରେ ରିମାଣ୍ଡରେ ନେଇ ପଚରା ଉଚରା କରିଥିବାବେଳେ କୋର୍ଟ ସିସୋଦିଆଙ୍କୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ। ତେବେ ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ହେବା ପୂର୍ବରୁ ଗୁରୁବାର ତାଙ୍କୁ ଇଡି ଗିରଫ ଦର୍ଶାଇଛି।





