ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ୩୨୧୮ ସେଣ୍ଟର୍‌ରେ ପରୀକ୍ଷା ଦେବେ ୫.୪୧ ଲକ୍ଷ ଛାତ୍ରଛାତ୍ରୀ, କପି ରୋକିବାକୁ ସ୍ପେସାଲ୍‌ ସ୍କ୍ୱାଡ୍‌

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ୍‌ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଏହି ସମ୍ମେଟିଭ୍‌ ଆସେସମେଣ୍ଟ୍‌-୨ ପରୀକ୍ଷା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ଓଡ଼ିଆ ବିଷୟ ରହିଛି। ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ ।

ଏଥିଲାଗି ସକାଳ ୭ଟା ସୁଦ୍ଧା ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି । ମାଟ୍ରିକ୍‌ର ରେଗୁଲାର ଓ ଏକ୍ସରେଗୁଲାର ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ତଥା ଏସ୍‌ଓଏସ୍‌ସି ଓ ମଧ୍ୟମା ପରୀକ୍ଷା ମଧ୍ୟ ଏକ ସମୟରେ ହେବ । ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି ସେଣ୍ଟରରେ ପରୀକ୍ଷା ଦେବେ । ଏଥିରେ ୫ ଲକ୍ଷ ୩୨ ହଜାର ୬୦୩ ଜଣ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀ ରହିଥିବା ବେଳେ ଷ୍ଟେଟ୍‌ ଓପନ ସ୍କୁଲ୍‌ର ୫ ହଜାର ୧୭ ଜଣ ଏବଂ ୩ ହଜାର ୬୨୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ଏଥର ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପରୀକ୍ଷା ଦିନ ନୋଡାଲ୍‌ ସେଣ୍ଟରଗୁଡ଼ିକରୁ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର, ଓଏମ୍‌ଆର୍‌ ସିଟ୍‌ ଓ ଖାତାଗୁଡ଼ିକ ପୁଲିସ ସୁରକ୍ଷା ବଳୟରେ ଆସି ସକାଳ ୭ଟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି । ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ କେନ୍ଦ୍ରରେ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରଶ୍ନ ପ୍ୟାକେଟ୍‌ ଖୋଲାଯିବା ଲାଗି ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବିଭିନ୍ନ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ହଲ୍‌କୁ ଯେପରି ମୋବାଇଲ୍‌ ନଯାଏ ସେଥିଲାଗି ବୋର୍ଡ ପକ୍ଷରୁ କଠୋର କଟକଣା ଜାରି କରାଯାଇଛି । ପରୀକ୍ଷାରେ କପି ନିୟନ୍ତ୍ରଣ ଲାଗି ବୋର୍ଡ ପକ୍ଷରୁ ୩୬ଟି ସ୍ପେସାଲ୍‌ ସ୍କ୍ୱାଡ୍‌ ଗଠନ କରାଯାଇଥିବା ବେଳେ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କ ଦ୍ୱାରା ୭୪ଟି ଫ୍ଲାଇଂ ସ୍କ୍ୱାଡ୍‌ ଗଠନ କରାଯାଇଛି । ଏହାବାଦ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୃଥକ ଭାବେ ସ୍କ୍ୱାଡ୍‌ ଗଠନ କରିଥିବା ସୂଚନା ମିଳିଛି ।

ଦ୍ୱିତୀୟ ପରୀକ୍ଷା ଇଂରାଜୀ ୧୩ ତାରିଖରେ ଥିବାବେଳେ ୧୪ରେ ହିନ୍ଦୀ/ସଂସ୍କୃତ, ୧୬ରେ ସାଧାରଣ ବିଜ୍ଞାନ ପରୀକ୍ଷା, ୧୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ଏବଂ ଶେଷ ଦିନ ୨୦ ତାରିଖରେ ଗଣିତ ପରୀକ୍ଷା ରହିଛି । ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ସୂଚୀ ମଧ୍ୟରେ ୧୧, ୧୨, ୧୫, ୧୭, ୧୯ ତାରିଖ ପରୀକ୍ଷା ବନ୍ଦ ରହିଛି । ପ୍ରତି ବିଷୟରେ ୮୦ ମାର୍କ ବିଶିଷ୍ଟ ଏହି ପରୀକ୍ଷାରେ ୩୦ ମାର୍କ ସବଜେକ୍ଟିଭ୍‌ ଏବଂ ୫୦ ମାର୍କ ଅବଜେକ୍ଟିଭ୍‌ ପ୍ରଶ୍ନ ରହିଛି । ଅବଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ପରୀକ୍ଷାର୍ଥୀମାନେ ଓଏମ୍‌ଆର୍‌ ସିଟ୍‌ରେ ଦେବେ । ପରୀକ୍ଷା ଶେଷ ପରେ ଉତ୍ତର ଖାତା ଏବଂ ଓଏମ୍‌ଆର୍‌ ଉତ୍ତର ସିଟ୍‌ଗୁଡିକୁ କଡ଼ା ସୁରକ୍ଷାରେ ନୋଡାଲ୍‌ ସେଣ୍ଟର୍‌ଗୁଡ଼ିକୁ ଅଣାଯିବ । ଏଥିଲାଗି ୭୬୧ଟି ଡେସ୍‌ପାଚ୍‌ ଟିମ୍‌ ସହ ବୋର୍ଡ ପକ୍ଷରୁ ପୃଥକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

Related Posts