ସାଇବର ଠକଙ୍କ ଜାଲରେ ନବ ଦାସଙ୍କ ଝିଅ ଦୀପାଳି, ଆକାଉଣ୍ଟରୁ ନେଇଗଲେ ଦେଢ ଲକ୍ଷ ଟଙ୍କା

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ସାଇବର ଠକେଇର ଶିକାର ହେଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ସେ ଦେଢ ଲକ୍ଷ ଟଙ୍କାର ଠକେଇର ଶିକାର ହେଇଛନ୍ତି । ଏ ନେଇ ଦୀପାଳି ସମ୍ବଲପୁର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ବଲପୁର ମୋଦୀପଡା ହେଉଛି ଦୀପାଳିଙ୍କ ପୈତୃକ ଘର । ଅଇଁଠାପାଲିରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ଆକାଉଂଟ ରହିଛି । ଯେଉଁ ଆକାଉଂଟରୁ ତାଙ୍କ ଟଙ୍କା ଗାଏବ ହୋଇଛି ।

ସେ ଲିଖିତ ଅଭିଯୋଗ କରି କହିଛନ୍ତି, ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ଯେଉଁଥିରେ ଏକ ଓଟିପି ନମ୍ବର ଥିଲା। ସେ ଏହି ଓଟିପିକୁ କାହା ସହ ସେୟାର କରିନଥିଲେ ମଧ୍ୟ ପରେ ଦୁଇଟି ଟ୍ରାଞ୍ଜାକସନରେ ପ୍ରଥମେ ୧ ଲକ୍ଷ ଓ ପରେ ୫୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଛି । ଟଙ୍କା କଟିବା ପରେ ତାଙ୍କ ମୋବାଇଲକୁ ମେସେଜ ଆସିଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ପରେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟ ଦେଖିବା ପରେ ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ସେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟକୁ ମଧ୍ୟ ଦେଇଛନ୍ତି । ପୋଲିସ ଦୀପାଳି ଦାସଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଯେ, ସାଧାରଣତଃ ଓଟିପି ସେୟାର କଲେ କିମ୍ବା ଲିଙ୍କରେ କ୍ଲିକ କଲେ ସାଇବର ଠକଙ୍କ ଜାଲରେ ପଡିବାର ସମ୍ଭାବନା ଥାଏ। କିନ୍ତୁ ଦୀପାଳିଙ୍କ ଏତଲା ଅନୁସାରେ ସେ ଓଟିପି ସେୟାର କରିନଥିଲେ ମଧ୍ୟ କିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Posts