ପୁଣି ବିଧାନସଭା ଅଚଳ; ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହାଲ୍ଲା, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ହେଲେ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳରେ କମ୍ପିଛି ବିଧାନସଭା ।ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ଓ ଆଇନ ଶୃଙ୍ଖଳା ନେଇ ହୋହଲ୍ଲା କରିଛନ୍ତି ଉଭୟ ବିରୋଧି ବିଜେପି ଓ କଂଗ୍ରେସ । ମନ୍ତ୍ରୀଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି କରି ନାରାବାଜି କରିଛନ୍ତି ବିରୋଧୀ । ଏହାପରେ ଗୃହକୁ ପ୍ରଥମେ ସାଢେ଼ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ଆରମ୍ଭ ହୋଇଥିଲା ଶୂନ୍ୟକାଳ । ଅର୍ଥମନ୍ତ୍ରୀ କ୍ୟାବିନେଟ୍ ପ୍ରସ୍ତାବ ଗୃହରେ ଉପସ୍ଥାପନ କରିଥିଲେ । କିନ୍ତୁ ସମାନ ପ୍ରସଙ୍ଗରେ ବିରୋଧୀ ଗୃହରେ ହଟ୍ଟଗୋଳ ଜାରି ରଖିଲେ । ତେଣୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଇତିମଧ୍ୟରେ ମାସକରୁ ଅଧିକ ସମୟ ବିତିଗଲାଣି । ହେଲେ ଏବେ ବି ହତ୍ୟାକାଣ୍ଡର କାରଣ ରହସ୍ୟମୟ ହୋଇ ରହିଛି । କ୍ରାଇମବାଞ୍ଚ ଅଭିଯୁକ୍ତ ଗୋପାଳକୁ ନେଇ ତଦନ୍ତ ଚଳାଇଛି । ଏହାରି ଭିତରେ ଅଭିଯୁକ୍ତ ଗୋପାଳ ଦାସର ମସ୍ତିଷ୍କ ସ୍ଥିର ଥିବା ଅର୍ଥାତ୍ ସେ ପାଗଳ ନୁହେଁ ବୋଲି ମେଡିକାଲ ବୋର୍ଡ ରିପୋର୍ଟ ଆସିଛି । ଏହାକୁ ନେଇ ବିରୋଧି ପୁଣିଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗୋପାଳ ଜରିଆରେ ହତ୍ୟା ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରୁଛନ୍ତି ବିରୋଧି । ତେଣୁ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ପାଇଁ ଗୃହରେ ଦାବି କରିଛି ବିଜେପି ।

ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ଭଳି ଗୃହ ସରଗରମ ରହିଛି । ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧି । ଆଜି ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧି ଦଳ ସଦସ୍ୟ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରିଛନ୍ତି ।

Related Posts