ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜି ଆରମ୍ଭ ହେଵାଠାରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି। ଏହାକୁ ନେଇ ବିରୋଧୀଙ୍କୁ ବିଜେଡି ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ । ତେଣୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ।
ବିଜେଡି ସରକାରରେ ନରହୁ ସେକଥା ଆମେ କହୁନାହୁଁ ବରଂ ମୁଖ୍ୟମନ୍ତ୍ରୀ ଯେହେତୁ ଉତ୍ତରଦାୟୀ ତେଣୁ ସେ ଇସ୍ତଫା ଦେଇଦେବା କଥା । ବିରୋଧୀ ଦଳ ପକ୍ଷରୁ ଏ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କାହିଁକି ଠିକ୍ ଢଙ୍ଗରେ ଘଟଣାର ଅନୁସନ୍ଧାନ ହେଉନାହିଁ ତାହାକୁ ନେଇ ଯୁକ୍ତି ବାଢିଥିଲୁ । ଅନୁସନ୍ଧାନ ଉପରେ ଓଡ଼ିଶାବାସୀଙ୍କର କାହିଁକି ବିଶ୍ୱାସ ହେଉନାହିଁ ସେ ନେଇ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଏହାର ଉତ୍ତର ମିଳୁନାହିଁ । ଷଡଯନ୍ତ୍ର କଥା ବାରମ୍ବାର କୁହାଯାଉଛି । ଉତ୍ତର ରଖିବା ବେଳେ ପ୍ରଥମେ ଏକଥାକୁ ସରକାର ମାନୁନଥିଲେ । କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ଷଡଯନ୍ତ୍ର କଥା ମାନିଛନ୍ତି ।
ଗୃହ ଭିତରେ ଏସବୁ ପ୍ରସଙ୍ଗ ଉତଥାପନ କରିବାକୁ ବିରୋଧୀଙ୍କୁ ବାଚସ୍ପତି ସମୟ ଦେବାର ଆବଶ୍ୟକତା ଥିଲା । ଗୃହ ଅଚଳ ହେଲେ ଏହାର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥାନ୍ତି । କିନ୍ତୁ ଆଜି ଗୃହ ଅଚଳ ହୋଇଥିଲେ ମଧ୍ୟ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିନାହାନ୍ତି। ଏହା ଦର୍ଶାଉଛି ଏପ୍ରସଙ୍ଗରେ ବାଚସ୍ପତି ରାଜ୍ୟ ସରକାରଙ୍କୁ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି । ଯଦି ଗୃହକୁ ଅଧ ଘଣ୍ଟା ମୁଲତବି ରଖି ଗୃହକୁ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଥାନ୍ତେ ତେବେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ବିଧାନସଭା ଚାଲିଛି, ସେପଟେ ମୁଖ୍ୟମନ୍ତ୍ରୀ ବାହାରେ ବୁଲୁଛନ୍ତି । ଏଭଳି କରି ଗୃହକୁ ମୁଖ୍ୟମନ୍ତ୍ରୀ ଅବଜ୍ଞା କରୁଛନ୍ତି । ଗୃହ ଚାଲୁଥିବା ସମୟରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇଛନ୍ତି । ଏହା ଗୃହ ପାଇଁ ଅପମାନ ବୋଲି ନରସିଂହ କହିଛନ୍ତି ।





