ଭାରତରେ ପ୍ରଥମ; H3N2 ଇନଫ୍ଲୁଏଞ୍ଜାରେ ଗଲା ଦୁଇ ଜଣଙ୍କ ଜୀବନ

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): H3N2 ଇନଫ୍ଲୁଏଞ୍ଜାରେ ଭାରତରେ ପ୍ରଥମ ମୃତ୍ୟୁ। ଏହି ସଂକ୍ରମଣରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ହରିୟାଣା ଏବଂ ଅନ୍ୟ ଜଣେ କର୍ଣ୍ଣାଟକର। ବର୍ତ୍ତମାନ ଦେଶରେ ପ୍ରାୟ ୯୦ ଜଣ ଏଥିରେ ସଂକ୍ରମିତ ଥିବା ଜଣାପଡ଼ିଛି। ସେହିପରି H1N1 ଭାଇରସ୍‌ରେ ଦେଶରେ ୮ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

H1N1 ପାଇଁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା। ସେହି ଭୂତାଣୁର ରୁପାନ୍ତର ହେଉଛି H3N2। H3N2ର ଲକ୍ଷଣ କୋଭିଡ୍‌ ସହ ସମାନ। ସଂକ୍ରମିତ ବ୍ୟକ୍ତିଙ୍କର ଦେହ ଓ ମୁଣ୍ଡ ବିନ୍ଧା ସହିତ ଗଳା ବସିଯାଏ। ପୁଣି ଶୁଖିଲା କାଶ ହୁଏ। ଲମ୍ବା ସମୟ ଧରି କାଶ ହୋଇଥାଏ।

ଡାକ୍ତରଙ୍କ କହିବା କଥା, ଏହା ଇନଫ୍ଲୁଏଞ୍ଜାର ଏକ ରୂପ, ଯାହା ଖୁବ୍‌ ଦ୍ରୁତ ବେଗରେ ସଂକ୍ରମିତ ହେଉଛି। ଯେଉଁ ମାନେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି, ସେମାନଙ୍କୁ ଏହି ଭାଇରସକୁ ନେଇ ସତର୍କ ରହିବା ଉଚିତ୍।

ଜ୍ୱର ଜନିତ ମାମଲାରେ ଏହି ଭାଇରସ୍‌ରେ ଆକ୍ରାନ୍ତ ରୋଗୀ ଅଧିକ ମାତ୍ରାରେ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଏହି ଭାଇରସ୍‌ରେ ସଂକ୍ରମିତଙ୍କ କରୋନା ରୋଗୀଙ୍କ ଭଳି ସମାନ ଲକ୍ଷଣ ପରିଲକ୍ଷିତ ହେଉଛି । ଏହି ଭାଇରସ୍ ଦ୍ୱାରା ତଣ୍ଟି ଦରଜ, କାଶ, ଦେହ ବିନ୍ଧା ହେବା ସହ ନାକରୁ ପାଣି ବାହାରିଥାଏ । ଏହି ଭାଇରସ୍‌ର ମ୍ୟୁଟେନସ ବାରମ୍ବାର ହେଉଥିବାରୁ ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବାର ଜଣାପଡ଼ିଛି ।ପୂର୍ବରୁ ଡାଇବେଟିସ୍, ରକ୍ତଚାପ ପରି ରୋଗରେ ପୀଡ଼ିତଙ୍କ ପ୍ରତି ଏହି ଭାଇରସ୍ ବିପଦ ସୃଷ୍ଟି କରିବାର ଆଶଙ୍କା ଅଛି। l

Related Posts