ଭୁବନେଶ୍ୱର,୧୨/୩ (ସତ୍ୟପାଠ ବ୍ୟୁରୋ): ସମଲିଙ୍ଗି ବିବାହକୁ ସ୍ବୀକୃତି ଦେବା ପାଇଁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନ ଗୁଡ଼ିକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିବା ସହିତ ସମସ୍ତ ୧୫ଟି ଆବେଦନକୁ ବିରୋଧ କରିଛନ୍ତି। କେନ୍ଦ୍ର କହିଛି ଯେ, ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ଦିଆଯାଇପାରିବ ନାହିଁ। ଏହା ଭାରତୀୟ ପରିବାରର ଅବଧାରଣା, ବିଚାରଧାରା ତଥା ଜୀବନଶୈଳୀ ବିରୋଧି୍ ଅଟେ।
ପରିବାରର ଅବଧାରଣା ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କ ପାଇଁ ଜନ୍ମ ହୋଇଥିବା ପିଲାମାନଙ୍କୁ ନେଇ ଗଠିତ। ସହଭାଗିତାରେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କର ଭାରତୀୟ ପରିବାରର ଅବଧାରଣା ସହିତ ତୁଳନୀୟ ନୁହେଁ, ଯାହାକି ଏକ ଜୈବିକ ପୁରୁଷକୁ ‘ସ୍ୱାମୀ’ ଓ ଏକ ଜୈବିକ ମହିଳାଙ୍କୁ ‘ପତ୍ନୀ’ ଭାବରେ ବିବେଚନା କରେ। ଏବଂ ଏହି ଦୁଇଜଣଙ୍କର ମିଳନରୁ ଜନ୍ମ ହୋଇଥାଏ ସନ୍ତାନ। ଯାହାକୁ ଉଭୟ ପତି ପତ୍ନୀ ମାତା ପିତା ଭାବରେ ଲାଳନପାଳନ କରିଥାଆନ୍ତି।
୫୬ ପୃଷ୍ଠାର ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ, ସୁପ୍ରମିକୋର୍ଟ ଏବଂ ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ ନିଜର ବ୍ୟକ୍ତିଗତ ସ୍ବାଧିନତାର ସ୍ପଷ୍ଟ ବ୍ୟାଖ୍ୟା କରିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନଜରରେ ରଖି ତମାମ ଆବେଦନଗୁଡ଼ିକୁ ଖାରଜ କରିଦେବା ଉଚିତ୍। କାରଣ ଏଥିରେ ଶୁଣାଣୀ କରିବା ସମ୍ପର୍କିତ କୌଣସି ସତ୍ୟତା ନାହିଁ। ଯୋଗ୍ୟତା ଆଧାରରେ ଆବେଦନକୁ ଖାରଜ କରିବା ଦେବା ହିଁ ଠିକ୍ ହେବ। ଆଇନରେ ଉଲ୍ଲେଖ ଅନୁଯାୟୀ, ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ଉଚିତ୍ ନୁହେଁ। କାରଣ ସାଧାରଣତଃ ଆମେ ଜୈବଗତ ଭାବରେ ସ୍ୱାମୀ-ସ୍ତ୍ରୀଙ୍କୁ ଏକ ସ୍ବତନ୍ତ୍ର ସଂଜ୍ଞା ଦିଆଯାଇଛି। ସେହି ଅନୁଯାୟୀ, ଉଭୟଙ୍କର ଆଇନଗତ ଅଧିକାର ମଧ୍ୟ ରହିଛି। କିନ୍ତୁ ସମଲିଙ୍ଗୀ ବିବାହରେ ବିବାଦ ହେଲେ ସ୍ୱାମୀ-ସ୍ତ୍ରୀଙ୍କୁ କିପରି ଅଲଗା ବୋଲି ଗ୍ରହଣ କରାଯାଇପାରିବ? ବୋଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଛନ୍ତି।





