ଭୁବନେଶ୍ୱର,୧୨/୩ (ସତ୍ୟପାଠ ବ୍ୟୁରୋ): ମନୋଜ ମିଶ୍ରଙ୍କୁ ଗତବର୍ଷ ଡିସେମ୍ବର ମାସରେ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ତେବେ ଏହାକୁ ନେଇ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ବିରୋଧି । ପୂର୍ବରୁ ବିଜେପି ଏହି ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଏବା କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି । ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।
ମନୋଜ ମିଶ୍ରଙ୍କୁ ସରକାର ଆଇଟି ବିଭାଗର ପ୍ରମୁଖ ସଚିବ ନିଯୁକ୍ତ କରିବା ତୃଟିପୂର୍ଣ୍ଣ ବୋଲି ଅଭିଯୋଗ କରିବା ସହ ସରକାର ସ୍ବେଚ୍ଛାଚାରିତା କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସରକାରଙ୍କର ଏହା ଭୁଲ୍ ନିଷ୍ପତ୍ତି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ କହିଛନ୍ତି, ଯେ କୌଣସି ଲୋକଙ୍କୁ ଆଣି ପ୍ରମୁଖ ସଚିବ କରିବା ଠିକ୍ ନୁହେଁ । ଯଦି ସରକାର ଆଇଟି ଏବଂ ଟେକ୍ନୋଲୋଜିର ବିକାଶ ଚାହୁଁଛନ୍ତି, ତାହେଲେ ସେହି ଫିଲ୍ଡରୁ ଜଣେ ଅନୁଭୂତି ସମ୍ପନ୍ନ ଲୋକଙ୍କୁ ଆଣି ପାରିଥାନ୍ତେ । ହେଲେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ନିୟମ ବଦଳାଇବ। ଏକ ପ୍ରକାର ସ୍ଵେଚ୍ଛଚାରିତା । ସରକାର ଯାହାକୁ ଚାହିଁବେ ତାକୁ ପଦବୀ ଦେଇପାରିବେ ନାହିଁ । ଯେଉଁଭଳି ମନୋଜ ମିଶ୍ରଙ୍କୁ ନୁଯୁକ୍ତି ଦିଆଗଲା ତାକୁ ମୁଁ ନାପସନ୍ଦ କରୁଛି । ଯଦି ସରକାର ଏଭଳି କରିବେ, ଆଗକୁ କଣ ହେବ ତାହାର କଳନା କରିବା ମୁସ୍କିଲ ବୋଲି ବିଜୟ କହିଛନ୍ତି।
ଆଜି କଂଗ୍ରେସର ବରିଷ୍ଠ ନେତା ଚିରଂଜୀବ ବିଶ୍ୱାଳଙ୍କୁ ଭେଟିବା ଅବସରରେ ମନୋଜ ମିଶ୍ରଙ୍କ ପ୍ରସଙ୍ଗରେ ଏଭଳି ବୟାନ ଦେଇଛନ୍ତି ବିଜୟ ପଟ୍ଟନାୟକ। ସେହିଭଳି ଚିରଂଜୀବଙ୍କୁ ଭେଟିବା ନେଇ ସେ କହିଛନ୍ତି, କଂଗ୍ରେସ ଅଗ୍ରଗତି କିପରି ହେବ ସେନେଇ ପରାମର୍ଶ ମାଗିଥିଲେ। ସେନେଇ ଶ୍ରୀ ବିଶ୍ୱାଳ ତାଙ୍କ ମତାମତ ଦେଇଛନ୍ତି। ସେ ସଦାବେଳେ କଂଗ୍ରେସରେ ଅଛନ୍ତି ଓ ଆଗକୁ ରହିବେ ବୋଲି ଅତୁଟ ବିଶ୍ୱାସ ରହିଛି। ନିର୍ବାଚନକୁ ଆଉ ଖୁବ୍ କମ୍ଦିନ ଥିବାରୁ ନେତୃତ୍ୱମାନଙ୍କୁ ଭେଟି ଆଲୋଚନା କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସୂଚନାଯୋଗ୍ୟ ଯେ, ମନୋଜ ମିଶ୍ର ହେଉଛନ୍ତି ୨୦୦୦ ମସିହା କ୍ୟାଡରର ଭାରତୀୟ ପ୍ରଶାସନିକ ଅଧିକାରୀ । ଦିଲ୍ଲୀରେ କେନ୍ଦ୍ରୀୟ ଡେପୁଟେସନ ସାରି ଓଡିଶା ଫେରିବା ପରେ ତାଙ୍କୁ ଗତ ଡିସେମ୍ବର ମାସରେ ରାଜ୍ୟ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେ ଦୀର୍ଘଦିନ ରେଳ ବିଭାଗରେ କାର୍ଯ୍ୟ କରିଥିଲେ ।





