ଭୁବନେଶ୍ୱର,୨୯/୩ (ସତ୍ୟପାଠ ବ୍ୟୁରୋ): ‘ଶଙ୍ଖ ମୋର ଗର୍ବ’ ଅଭିଯାନ ପରେ ବିଜେଡି ପକ୍ଷରୁ ସୋସିଆଲ ମିଡିଆରେ ଏବେ ଆରମ୍ଭ ହୋଇଛି ‘ଜୟ ଜଗନ୍ନାଥ’ କ୍ୟାମ୍ପେନ। ତେବେ ବିଜେଡିର ଏହି ସ୍ଲୋଗାନକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ। ସେ କହିଛନ୍ତି, ଠାକୁରଙ୍କ ବନ୍ଦନା କରିବାରେ କାହାରି ଆପତ୍ତି ନାହିଁ। ମାତ୍ର ଧର୍ମକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ।
ବିଜୟ କହିଛନ୍ତି, ସେମାନେ ଭଗବାନଙ୍କ ନାଁ ନେବା ପାଇଁ ଚାହୁଁଛନ୍ତି ଖୁସି ହେବା କଥା । କିନ୍ତୁ ମୋର ବିଜେଡିକୁ ପ୍ରଶ୍ନ ରତ୍ନ ଭଣ୍ଡାର ବିଷୟରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେଠାରେ ଅଳଙ୍କାର ଅଛି ନା ନାହିଁ ଏ ସମ୍ପର୍କରେ ସ୍ପଷ୍ଟ କାହିଁକି ହେଉନି । ରତ୍ନ ଭଣ୍ଡାର ଚାବି କୁଆଡ଼େ ହଜିଲା ତାହା ପ୍ରଶ୍ନର ଉତ୍ତର ନାହିଁ । ରତ୍ନ ଭଣ୍ଡାର ପ୍ରସଙ୍ଗ ଅନ୍ଧକାର ଏନେଇ ସ୍ପଷ୍ଟୀକରଣ ଆସିବା ଦରକାର । ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ ହୋଇଥିଲା। ଏହି ପ୍ରସଙ୍ଗକୁ ଆସ୍ତେ ଆସ୍ତେ ଲିଭେଇବା ପାଇଁ ଚେଷ୍ଟା କରାଯାଇଛି । ଏସବୁ ବିଷୟରେ ସ୍ପଷ୍ଟୀକରଣ ଆସିବା ଦରକାର । ଠାକୁରଙ୍କୁ ବନ୍ଦନା କରିବାରେ କାହାରି ଆପତ୍ତି ନାହିଁ । ମାତ୍ର ଧର୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।ବିଜେପି କାଳେ ମାଇଲେଜ ନେଇ ଯିବ ସେଥିପାଇଁ ହୁଏତ ବିଜେଡି ଏଭଳି ନାରା ଦେଉଛି। ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ଏକ ଧର୍ମ ନିରପେକ୍ଷ ଦଳ ବୋଲି ବିଜୟ କହିଛନ୍ତି l
ସେହିପରି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ସେ କହିଛନ୍ତି, ଆଜି ରାହୁଲ ଗାନ୍ଧୀଙ୍କ ପାଇଁ ଭାରତ ଏକାଠି ହୋଇଛି l ବିରୋଧୀ ସମସ୍ୱରରେ ଗଣତନ୍ତ୍ରର ଏ ନିଷ୍ପତ୍ତିକୁ ବିରୋଧ କରିଛନ୍ତି l ଏହି ବିରୋଧରେ ଦେଶବ୍ୟାପୀ ୧୮ ଟି ଦଳ ସାମିଲ ହୋଇଛନ୍ତି ମାତ୍ର ଓଡ଼ିଶାରେ ବିଜେଡି ଦଳ ସଂପୂର୍ଣ୍ଣ ଚୁପ l ସନ୍ଦେହ ଯାହା ଥିଲା ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ତାହା ଏବେ ପ୍ରମାଣିତ ହୋଇଛି l ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ଆଜି ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।
ସେ ଆହୁରି କହିଛନ୍ତି, ବିଜେଡି ବିଜେପି ଉଭୟଙ୍କ ଚିନ୍ତାଧାରା ସମାନ । ଯଦି ବିଜେଡି ବିରୋଧୀ ଦଳ ତେବେ କଂଗ୍ରେସ ପ୍ରସଙ୍ଗରେ କାହିଁକି ମୁହଁ ଖୋଲିନାହାନ୍ତି । ଦରକାର ପଡିଲେ ଉଭୟ ଦଳ ବିରୋଧୀଙ୍କ କଣ୍ଠରୋଧ କରିବାକୁ ସିବିଆଇ, ଇଡି, ଭିଜିଲାନ୍ସ, ପୋଲିସ ଲଗାଇଥାନ୍ତି । ଏହା ସ୍ପଷ୍ଟ ଭାବେ ପ୍ରତିପାଦିତ ହେଉଛି ଯେ ଉଭୟ ଦଳ ପରସ୍ପର ପାଇଁ କାମ କରୁଛନ୍ତି ନହେଲେ କେବେ ଚୁପ ରହିନଥାନ୍ତେ । ଏନେଇ ବିଜେଡି ସ୍ପଷ୍ଟୀକରଣ ଦେବା ଦରକାର ବୋଲି ବିଜୟ କହିଛନ୍ତି।





