ଭୁବନେଶ୍ୱର,୨୯/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଆସନ୍ତା ମେ’ ୧୦ରେ ଏନେଇ ଉପନିର୍ବାଚନ ହେବ। ଏନେଇ ଆଜି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୂଚନା ଅନୁଯାୟୀ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ । ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ୨୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିହେବ । ମେ ୧୦ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ମେ ୧୩ରେ ଭୋଟ ଗଣତି କରାଯିବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।
ତେବେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାବେଳେ ଝାରସୁଗୁଡ଼ା ଉନନିର୍ବାଚନ ଏକପ୍ରକାର ସେମିଫାଇନାଲ ହେବ। ଏହି ଉପନିର୍ବାଚନ ରାଜ୍ୟ ରାଜନୈତିକ ମହଲରେ ରୋଚକ ମୋଡ଼ ଆଣିପାରେ । ଯେଉଁଭଳି ନବ ଦାସଙ୍କୁ ହତ୍ୟା କରାଗଲା ଆଉ ଲଗାତାର ଏହା ପଛରେ ସରକାରଙ୍କ ହାତ ଥିବା ବିରୋଧୀ ଅଭିଯୋଗ କରୁଥିବା ବେଳେ ଏହି ହତ୍ୟାକାଣ୍ଡ ଉପ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ। ନବ ଦାସ ହତ୍ୟାକାଣ୍ଡର ତଦନ୍ତରେ ଶିଥିଳତା ଓ ହତ୍ୟା ପଛର ଷଡଯନ୍ତ୍ର ଉପରୁ ପରଦା ନ ହଟିବା କୁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରିବେ। ସେପଟେ ନବ ଙ୍କ ହତ୍ୟା ପରେ ତାଙ୍କ ପରିବାରରୁ ଜଣକୁ ଟିକେଟ ଦେଇ ଶାସକ ବିଜେଡି ସମବେଦନା ହାତେଇବାକୁ ଚେଷ୍ଟା କରିବ। ତେବେ ଆଜି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।





