ଭୁବନେଶ୍ୱର,୯/୪(ସତ୍ୟପାଠ ବ୍ୟୁରୋ): ଆସନ୍ତା ଏପ୍ରିଲ ୧୭ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ। ସରକାର ସଂଘର ୧୨ ଦଫା ଦାବି କୁ ନ ମାନିଲେ ସାରା ଓଡ଼ିଶାରୁ ପାଖାପାଖି ୫୫୦୦୦ ଫାର୍ମାସିଷ୍ଟ ଓ ଛାତ୍ର ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ସେପଟେ ଅଲ୍ ଓଡ଼ିଶା ବିପିୟୁଟି ଷ୍ଟୁଡେଣ୍ଟ୍ ଆସୋସିଏସନ୍ ର ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟର ସମସ୍ତ ଫାର୍ମାସୀ କଲେଜର ବି.ଫର୍ମା ଛାତ୍ର ନେତା ମାନେ ଯୋଗ ଦେଇ ଓଡ଼ିଶା ଫାର୍ମାସିଷ୍ଟ ମହାସଂଘର ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି। ତେବେ ପୂର୍ବରୁ ମହାସଂଘ ଏପ୍ରିଲ ୧୭ ରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଥିଲା ଓ ସରକାର ଏହି ଅବଧି ମଧ୍ୟରେ ସେମାନଙ୍କ ଦାବି ମନି ନେଲେ ସଂଘ ଆନ୍ଦୋଳନରୁ ଓହରି ଯିବାକୁ ଘୋଷଣା କରିଥିଲା। ହେଲେ ସରକାର ଏପର୍ଯ୍ୟନ୍ତ ସେମାନଙ୍କ ଦାବି କୁ ଶୁଣୁନଥିବାରୁ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ପୁଣି ରଣହୁଙ୍କାର ଦେଇଥିବା ବେଳେ ମହସଂଘକୁ ରାଜ୍ୟର ସମସ୍ତ ଅଞ୍ଚଳରୁ ସମର୍ଥନ ମିଳିଛି।
ସେପଟେ ଆଜି ଓଡ଼ିଶାରେ କାର୍ଯ୍ୟ କରୁଥିବା ବିଭିନ୍ନ ଫାର୍ମାସିଷ୍ଟ ସଂଘ ଓ ବିଭିନ୍ନ କଲେଜର ଫାର୍ମାସୀ ଛାତ୍ର ନେତାମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହାସଂଘ ପକ୍ଷରୁ ସିଧାସଳଖ କୁହାଯାଇଛି ଯେ, ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ଔଷଧ ଦୋକାନ ଓ ନିରାମୟ କେନ୍ଦ୍ରରେ ଔଷଧ ବିତରଣ ବନ୍ଦ୍ ରହିବ। ରାଜ୍ୟର ସମସ୍ତ ଫାର୍ମାସିଷ୍ଟ ଆନ୍ଦୋଳନକୁ ଓହ୍ଲାଇବେ। ତେବେ ଏହି ଆନ୍ଦୋଳନ ଦ୍ଵାରା ରାଜ୍ୟବାସୀ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସଂଘ ଚେତାଇ ଦେଇଛି।
ସେପଟେ ଆଜି ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଛି ଓଡିଶା ଫାର୍ମାସିଷ୍ଟ ସେବା ସଂଘ। ଓଡିଶା ଫାର୍ମାସିଷ୍ଟ ସେବା ସଂଘ ମଧ୍ୟ ୫ ଦଫା ଦାବି ନେଇ ଏପ୍ରିଲ ୧୭ ରୁ ଆନ୍ଦୋଳନକୁ ଓହ୍ଲାଇବ।
ଅନ୍ୟପଟେ ଆଜିର ଏହି ବୈଠକରେ ଫାର୍ମାସିଷ୍ଟ ସଂଘର ଏହି ଆନ୍ଦୋଳନକୁ ଅଲ୍ ଓଡିଶା ବିପିୟୁଟି ଫାର୍ମାସିଷ୍ଟ ଷ୍ଟୁଡେଣ୍ଟସ ଆସୋସିଏସନ୍, ଓଡ଼ିଶା mphw m ଫାର୍ମାସିଷ୍ଟ ଆସୋସିଏସନ୍, ବିଜୁ ପଟ୍ଟନାୟକ ଫାର୍ମାସିଷ୍ଟ ଷ୍ଟୁଡେଣ୍ଟସ ଆସୋସିଏସନ୍, all OSBP PHST STUDENTS ASSOCIATION, ଅନଏମ୍ପ୍ଲୋଏଡ ଫାର୍ମାସିଷ୍ଟ ଆସୋସିଏସନ୍, ଓଡ଼ିଶା ଫାର୍ମାସୀ ଗ୍ରାଜୁଏଟ୍ ଆସୋସିଏସନ୍, ଓଡ଼ିଶା ଡିପ୍ଲୋମା ଫାର୍ମାସୀ ଷ୍ଟୁଡେଣ୍ଟ୍ ଆସୋସିଏସନ୍, ଓଡ଼ିଶା ଡିପ୍ଲୋମା ଫାର୍ମାସୀ ଆସୋସିଏସନ୍, COVID PHARMASIST & MPHW M ASSOCIATION, ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘର କର୍ମକର୍ତ୍ତା ଉପସ୍ଥିତ ରହି ସମର୍ଥନ ଜଣାଇଛନ୍ତି।
ତେବେ ଏକ ସଙ୍ଗେ ରାଜ୍ୟର ପାଖାପାଖି ୫୫,୦୦୦ ଫାର୍ମାସିଷ୍ଟ ଓ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ ଡ଼ାକରା ଦେବା ଏବେ ଚିନ୍ତାର ବିଷୟ ପାଲଟିଛି। ସରକାର ସଂଘର ଦାବିକୁ ନେଇ ତୁରନ୍ତ କିଛି ସମାଧାନର ବାଟ ବାହାର ନକଲେ ରାଜ୍ୟର ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖା ଦେଇଛି।





