ଝାରସୁଗୁଡାରେ ପୁଣି ଜଣେ ନାବାଳକ ଅପହରଣ ଅଭିଯୋଗ, ଶୁକ୍ରବାରରୁ ମିଳୁନି ପତ୍ତା

ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ାର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲାର ଦୁଃଖଦ ଚିତ୍ର ମନରୁ ହଟିନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଆଉ ଏକ ନାବାଳକ ନିଖୋଜ ମାମଲା । ପୁଣି ସମାନ ଝାରସୁଗୁଡା ଜିଲ୍ଲାରୁ । ଘର ସାମ୍ନାରୁ ଜଣେ ନାବାଳକ ନିଖୋଜ ହୋଇ ଯାଇଛନ୍ତି । ଗତ ଶୁକ୍ରବାର ଅର୍ଥାତ ୭ ତାରିଖରୁ ନାବାଳକ ଜଣକ ନିଖୋଜ ହେଲେଣି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ନାବାଳକକୁ ଖୋଜୁଥିବା ଝାରସୁଗୁଡା ଏସପି ସ୍ପଷ୍ଟ କରିଛନ୍ତି ।

ନିଖୋଜ ନାବାଳକଙ୍କ ନାଁ ପ୍ରିନ୍ସ । ୯ ବର୍ଷ ବୟସର ପ୍ରିନ୍ସ ୩ୟ ଶ୍ରେଣୀରେ ପଢନ୍ତି । ତାଙ୍କ ଘର ଝାରସୁଗୁଡା ଥାନା ଅନ୍ତର୍ଗତ ବୁରୋମାଲ ଅଞ୍ଚଳରେ । ପ୍ରିନ୍ସଙ୍କ ମା’ଙ୍କ ଦେହ ଅସୁସ୍ଥ ଥିଲା । ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମା’ଙ୍କ ପାଖରେ ବାପା ବି ଡାକ୍ତରଖାନାରେ ଥିଲେ । ଘରେ ବଡ ଭାଇଙ୍କ ସହ ପ୍ରିନ୍ସ ରହୁଥିଲେ । ସେଦିନ ଅପରାହ୍ନରେ ପ୍ରିନ୍ସ ଘର ସାମ୍ନାରେ ଛିଡା ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ହେଲେ ସେବେଠୁ ସେ ଘରକୁ ଫେରି ନାହାନ୍ତି । ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ୯ ତାରିଖ ପୋଲିସରେ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରିନ୍ସ ଏହା ପୂର୍ବରୁ ମଧ୍ୟ ୨ ଥର ଏମିତି ନିଖୋଜ ହେଇଯାଇଥିଲେ । ତେବେ ଆପେ ଆପେ ଫେରି ଆସିଥିଲେ । ଏଥର ମଧ୍ୟ ପରିବାର ଲୋକେ ଭାବିଥିଲେ ପ୍ରିନ୍ସ ଫେରି ଆସିବେ । ହେଲେ ସେ ନ ଆସିବାରୁ ଏବେ ପରିବାର ଲୋକେ ଚିନ୍ତାରେ ଅଛନ୍ତି ।

ଅନ୍ୟପକ୍ଷେ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା ଜିଲ୍ଲା ପୋଲିସର ପାରିବା ପଣିଆକୁ ପଦାରେ ପକାଇଥିବାବେଳେ ପୁଣି ଏକ ନାବାଳକ ନିଖୋଜ ଜିଲ୍ଲା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଏହା ଅପହରଣ ନା ଅନ୍ୟ କିଛି ତାହା ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକଙ୍କ ପାଖକୁ ମଧ୍ୟ ସେମିତି କିଛି ଫୋନ କଲ ଆସିନଥିବା ସୂଚନା ମିଳିଛି ।

Related Posts