ଝାରସୁଗୁଡା ଉପ-ନିର୍ବାଚନ; ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଝାରସୁଗୁଡାରେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏଆଇସିସି ଅନୁମୋଦନକ୍ରମେ ତରୁଣଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି । ଏହାପୂର୍ବରୁ କଂଗ୍ରେସର ଏକ କମିଟି ଝାରସୁଗୁଡା ଗସ୍ତ କରିବା ସହ ପ୍ରାର୍ଥୀ ଚୟନ ନେଇ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଯାହାର ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଇଥିଲା । ଆଉ ରାଜ୍ୟ କମିଟି ଦେଇଥିବା ରିପୋର୍ଟ ଆଧାରରେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ ।

ଯୁବ ନେତା ଭାବେ ପରିଚିତ ତରୁଣ ପାଣ୍ଡେ ପୂର୍ବରୁ କଂଗ୍ରେସ ସହ ଜଡିତ ଅଛନ୍ତି । ତରୁଣଙ୍କ ବାପା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ମଧ୍ୟ ପୂର୍ବରୁ କଂଗ୍ରେସ ଟିକେଟରେ ଝାରସୁଗୁଡାରୁ ବିଧାୟକ ରହି ଆସିଛନ୍ତି । ସେପଟେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପୂର୍ବରୁ ବିଜେଡି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ବିଜେପି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।

Related Posts