ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ସେବାରେ ଭର୍ତ୍ତି ପାଇଁ ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀଦଳମାନେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏହା ଉପରେ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ଯୋଜନାକୁ ବିରୋଧ କରି ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ୨ଟି ଆବେଦନ ହୋଇଥିଲା । ଏହି ଆବେଦନ ମାଧ୍ୟମରେ ଯୋଜନା ଉପରେ ରୋକ୍ ଲଗାଇବାକୁ କୋର୍ଟଙ୍କୁ ଆବେଦନକାରୀ ଗୁହାରୀ କରିଥିଲେ ।
ହେଲେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ୨ଟି ଯାକ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ହେଲେ ଆଜି ୨ଟି ଯାକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ସହ ଦିଲ୍ଲୀ ହାଇକୋର୍ଟର ରାୟକୁ ବଳବତ୍ତର ରଖିଛନ୍ତି । ଜନସ୍ବାର୍ଥ ମାମଲା ଏହି ଯୋଜନାର ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ଗୌଣ କରି ପକାଉଛି ବୋଲି ଦର୍ଶାଇ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି. ଏସ୍. ନରସିଂହ ଓ ଜେ. ବି. ପାର୍ଦିୱାଲାଙ୍କୁ ନେଇ ଗଠିତ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଅଗ୍ନିପଥ ଯୋଜନା ପ୍ରଚଳନ ହେବା ପୂର୍ବରୁ ରାଲି, ପ୍ରାର୍ଥୀମାନେ ଶାରୀରିକ ଓ ଡାକ୍ତରୀ ପରୀକ୍ଷା ଭଳି ଚୟନ ପ୍ରକ୍ରିୟାରେ ପ୍ରତିରକ୍ଷା ବଳ ପାଇଁ ମନୋନୀତ ହେଉଥିଲେ। କିନ୍ତୁ, ନିଯୁକ୍ତି ପାଇଁ ସେମାନଙ୍କର ପୂର୍ଣ୍ଣ ଅଧିକାର ନ ଥିଲା। ତେଣୁ, ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହୁଁ। ହାଇକୋର୍ଟ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ରାୟ ଦେଇଛନ୍ତି ବୋଲି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।
ସେପଟେ ଅଗ୍ନିପଥ ଯୋଜନା ଆସିବା ପୂର୍ବରୁ ବାୟୁସେନାରେ ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଆଶାୟୀମାନେ ମଧ୍ୟ ଏକ ଆବେଦନ କରିଥିଲେ । ଏହି ଆବେଦନରେ ସେମାନେ ଦର୍ଶାଇଥିଲେ କି ଅଗ୍ନିପଥ ଯୋଜନା ଆସିବା ପୂର୍ବରୁ ସେମାନେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି । ତେଣୁ ସେମାନଙ୍କୁ ଅଗ୍ନିପଥ ଯୋଜନାରେ ସାମିଲ କରାନଯାଉ । ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଏପ୍ରିଲମାସ ୧୭ ତାରିଖରେ ଶୁଣାଣି କରିବେ ।





