ଆସନ୍ତା ୧୫-୨୦ ଦିନରେ ଭାଙ୍ଗିଯିବ ସିନ୍ଦେ ସରକାର: ସଞ୍ଜୟ ରାଉତ୍

ଭୁବନେଶ୍ୱର,୨୪/୪(ସତ୍ୟପାଠ ବ୍ୟୁରୋ): ପ୍ରଥମେ ଶିବସେନାରେ ବିଦ୍ରୋହ ଓ ପରେ ଦଳରୁ ଅଲଗା ହୋଇ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ପରଠାରୁ ଉଦ୍ଧବ ଠାକରେଙ୍କ ଶିବସେନା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କ୍ରମାଗତ ଭାବରେ ଟାର୍ଗେଟ କରିଆସୁଛନ୍ତି। ସିନ୍ଦେଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେ ପ୍ରଥମେ ନିଜ ଦଳର ବିଧାୟକ, ପରେ କ୍ଷମତା ଏବଂ ଶେଷରେ ଶିବସେନା ଦଳ ହରାଇଥିଲେ।

ସେବେଠାରୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଶିବସେନାର ନେତାମାନେ, ଏକନାଥ ସିନ୍ଦେ ଏବଂ ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଉଦ୍ଧବ ଗୋଷ୍ଠୀର ସାଂସଦ ତଥା ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଏକ ବଡ଼ ବିବୃତି ଦେଇ କହିଛନ୍ତି ଯେ, ଆସନ୍ତା ୧୫-୨୦ ଦିନ ମଧ୍ୟରେ ‘ସିନ୍ଦେ-ଫଡନାବୀସ୍’ ସରକାର ଭୁଶୁଡ଼ିବ।

ତାଙ୍କ କହିବା ମୁତାବକ, ମହାରାଷ୍ଟ୍ରର ସିନ୍ଦେ-ଫଡ଼ନାବୀସ୍ ସରକାର ପାଇଁ ‘ଡେଥ୍ ୱାରେଣ୍ଟ’ ଜାରି କରାଯାଇଛି, କେବଳ ତାରିଖ ଘୋଷଣା କରାଯାଇ ନାହିଁ। ମୁଁ ପୂର୍ବରୁ କହିଥିଲି ଯେ ସିନ୍ଦେ ସରକାର ଫେବୃୟାରୀରେ ଭାଙ୍ଗିଯିବ। କିନ୍ତୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ବିଳମ୍ବ ସିନ୍ଦେ ସରକାରଙ୍କ ଜୀବନ ସୀମାକୁ ବଢ଼ାଇ ଦେଇଥିଲା। ହେଲେ ଆଉ ନୁହେଁ। ଆସନ୍ତା ୧୫-୨୦ ଦିନ ମଧ୍ୟରେ ଏହି ସରକାର ଭୁଶୁଡିବ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନରେ ସିନ୍ଦେ ଗୋଷ୍ଠୀ ବିଦ୍ରୋହୀ ହେବା ପରେ ଉଦ୍ଧବ ଠାକରେ କ୍ଷମତା ହରାଇଥିଲେ। ସିନ୍ଦେ ବିଦ୍ରୋହୀ ବିଧାୟକଙ୍କୁ ନେଇ ବିଜେପି ସହ ମିଶି ସରକାର ଗଢ଼ିବା ସହ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସିନ୍ଦେ କ୍ଷମତାକୁ ଆସିବା ପରେ ଉଦ୍ଧବ ଠାକରେଙ୍କୁ ଛାଡ଼ି ଅନେକ ନେତା ସିନ୍ଦେଙ୍କ ହାତ ଧରିଛନ୍ତି। ହେଲେ ଏବେ ସଞ୍ଜୟ ରାଉତଙ୍କ ଦାବି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି। କେଉଁ ଆଧାରରେ ସେ ଏଭଳି ଦାବି କରିଛନ୍ତି ତାହା ଜଣାପଡ଼ିନାହିଁ।

Related Posts