ଭୁବନେଶ୍ୱର,୨୮/୪(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଜମ୍ମୁ-କାଶ୍ମୀରର ବୀମା ଦୁର୍ନୀତି ମାମଲାରେ ଆଜି ସିବିଆଇର ଏକ ଟିମ୍ ଯାଞ୍ଚ ପାଇଁ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଂଚିଛି । ସିବିଆଇ ଅଧିକାରୀଙ୍କ କହିବା ମୁତାବକ ବୀମା ଦୁର୍ନୀତି ନେଇ ସତ୍ୟପାଲ ମଲ୍ଲିକ ଯେଉଁ ଅଭିଯୋଗ କରୁଛନ୍ତି ତାହାର ସ୍ପଷ୍ଟିକରଣ ପାଇଁ ସିବିଆଇର ଟିମ୍ ସେଠାରେ ପହଂଚିଛନ୍ତି ।
ସୂଚନା ଅନୁସାରେ ସକାଳ ୧୧.୪୫ ମିନିଟ ସମୟରେ ଦିଲ୍ଲୀ ସୋମ ବିହାର ଅଞ୍ଚଳରେ ଥିବା ସତ୍ୟପାଲ ମଲ୍ଲିକଙ୍କ ବାସଭବନରେ ସିବିଆଇର ଟିମ୍ ପହଂଚିଛି । ସତ୍ୟପାଲ ମଲ୍ଲିକ ବୀମା ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆଣିଥିଲେ ସେ ନେଇ ତାଙ୍କୁ ପଚରା ଉଚରା କରାଯିବ ।
ତେବେ ଜଣେ ସିବିଆଇ ଅଧିକାରୀ କହିଛନ୍ତି କି ଏପର୍ଯ୍ୟନ୍ତ ସତ୍ୟପାଲ ମଲ୍ଲିକ ନା ଅଭିଯୁକ୍ତ ନା ସନ୍ଦିଗ୍ଧ ହେଲେ ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଉପରେ ତାଙ୍କୁ ସ୍ପଷ୍ଟିକରଣ ଦେବାକୁ ପଡିବ । ସେପଟେ ଗତ ୭ମାସ ମଧ୍ୟରେ ଏହି ମାମଲାରେ ଦ୍ୱିତୀୟଥର ପାଇଁ ସିବିଆଇ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇ ଜେରା କରିବାକୁ ପହଂଚିଛି ।





