ଭୁବନେଶ୍ୱର,୨୮/୪(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାୟନବାଜି ବଢିବାରେ ଲାଗିଛି। ଏପରିକି ବ୍ୟକ୍ତିଗତ ଆକ୍ଷେପ ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୁଳନା ବିଷାକ୍ତ ସାପ ସହିତ କରିଥିଲେ। ତାଙ୍କର ଏହି ବୟାନ ଦ୍ବାରା ବିଜେପିକୁ ଏକ ପ୍ରସଙ୍ଗ ଦେଇଛି। ଏବେ ବିଜେପି ବିଧାୟକ ପାଲଟା ଆକ୍ରମଣ କରି ସୋନିଆ ଗାନ୍ଧିଙ୍କୁ ବିଷକନ୍ୟା ବୋଲି କହିଛନ୍ତି। କର୍ଣ୍ଣାଟକର କୋପ୍ପଲରେ ଏକ ସଭା ବେଳେ ବିଜେପି ବିଧାୟକ ବାସନଗୌଡା ଯତନାଲ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନେଇ ବ୍ୟକ୍ତିଗତ ଭାବରେ ଆକ୍ରମଣ କରିଛନ୍ତି। ତାଙ୍କୁ ବିଷକନ୍ୟା କହିବା ସହ ଚୀନ୍ ଓ ପାକିସ୍ତାନର ଏଜେଣ୍ଟ ବୋଲି ମଧ୍ୟ କହିଛନ୍ତି।
ସେ କହିଛନ୍ତି, ପୁରା ଦୁନିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବୀକାର କରିଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀଙ୍କୁ ରେଡ୍ କାର୍ପେଟରେ ସ୍ବାଗତ କରିଥିଲେ ଓ ତାଙ୍କୁ ଗ୍ଲୋବାଲ ଲିଡର ପାହ୍ୟା ମିଳିଥିଲା। କଂଗ୍ରେସ ତାଙ୍କର ତୁଳନା କୋବ୍ରା ସହିତ କରନ୍ତି ଓ କୁହନ୍ତି ସେ ବିଷାକ୍ତ। ଆପଣଙ୍କ ପାର୍ଟି ଓ ଯାହାଙ୍କ ନିର୍ଦେଶରେ ଆପଣ ନାଚନ୍ତି, କ’ଣ ସୋନିଆ ଗାନ୍ଧି ବିଷ କନ୍ୟା ? ସେ ଚୀନ୍ ଓ ପାକିସ୍ତାନର ଏଜେଣ୍ଟ।’
ସୂଚନାଯୋଗ୍ୟ ଯେ, ଗତକାଲି କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ କର୍ଣ୍ଣାଟକରେ ଏକ ରାଲି ବେଳେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ବିଷାକ୍ତ ସାପ ଭଳି। ଆପଣ ଭାବିବେ ଯେ, ବିଷ ଅଛି କି ନାହିଁ। କିନ୍ତୁ ଆପଣ ଯଦି ଚାଖି ଦିଅନ୍ତି ତେବେ ମରିଯିବେ।’ ତେବେ ଏଭଳି ମନ୍ତବ୍ୟ ପାଇଁ ବିଜେପି ତାଙ୍କୁ କ୍ଷମା ମାଗିବାକୁ କହିଥିଲା।
ସେପଟେ ଆଜି କଂଗ୍ରେସ ନେତାମାନେ ୟତନାଲଙ୍କ ବୟାନକୁ ନିନ୍ଦା କରିଛନ୍ତି ଓ କହିଛନ୍ତି, ବିଜେପି ଏଭଳି ବୟାନ ଦେଇ ତଳକୁ ଖସି ଯାଇଛି। କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଟ୍ବିଟ୍ କରି କହିଛନ୍ତି, ପ୍ରତି ନିର୍ବାଚନରେ ସେ ସୋନିଆ ଗାନ୍ଧିଙ୍କ ଅପମାନ କରିବା ପାଇଁ ନୂଆ ଗାଳି ଦେଉଛନ୍ତି। ସୋନିଆ ଗାନ୍ଧି ନିଜର ପୁରା ଜୀବନ ଅତ୍ୟନ୍ତ ଗାରିମା ଓ ଶାଳିନତାର ସହିତ ବିତାଇଛନ୍ତି। ବିଜେପି ଆମ ନେତାଙ୍କ ବିରୋଧରେ ଖରାପ ଭାଷା ସହିତ ନିମ୍ନ ସ୍ତରକୁ ଖସିବାରେ ଲାଗିଛି। ମୋଦି ଜୀ, କ’ଣ ଆପଣ ଏହି ଶବ୍ଦର ସମର୍ଥନ କରନ୍ତି ?
ସେଭଳି କଂଗ୍ରେସ ନେତା ରଣଦୀପ ସିଂହ ସୁରଜେଓ୍ବାଲା କହିଛନ୍ତି, କର୍ଣ୍ଣାଟକରେ ବିଜେପି ଓ ତାଙ୍କ ନେତା ନିଜର ମାନସିକ ଓ ରାଜନୈତିକ ସନ୍ତୁଳନ ହରାଇ ଦେଇଛନ୍ତି।





