ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ନବୀକରଣକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ହୋଇଥିବା ଅନିୟମିତତା ସମ୍ପର୍କିତ ମିଡିଆ ରିପୋର୍ଟ ନେଇ ମୁଖ୍ୟ ଶାସନ ସଚିବଙ୍କୁ ୧୫ ଦିନ ଭିତରେ ରିପୋର୍ଟ ମାଗିଛନ୍ତି।
ଏହି ଫାଇଲ ଆଧାରରେ ମୁଖ୍ୟ ସଚିବ ପିଡବ୍ଲୁଡି ବିଭାଗର ଅଧିକାରୀ ଓ ମନ୍ତ୍ରୀଙ୍କ ଭୂମିକା ନେଇ ତଦନ୍ତ କରିବେ। ଏହା ସହିତ ମଧ୍ୟ ତଦନ୍ତ କରାଯିବ ଯେ, କ’ଣ ନବୀକରଣ ର ଅନୁମତି ଦେବା ପାଇଁ କିଛି ଆର୍ଥିକ ନିୟମରେ ପରିବର୍ତ୍ତନ କରାଯାଇଛି କି? ଯଦି ହୋଇଛି ତେବେ ଏଥିପାଇଁ ଦାୟୀ କିଏ ? ଏହା ପୂର୍ବରୁ ଅବକାରୀ ନୀତି ମାମଲା ସହିତ କିଛି ଅନ୍ୟ ମାମଲା ସମ୍ପର୍କିତ ଫାଇଲ ମଧ୍ୟ ଗାଏବ ହୋଇଯାଇଥିଲା ଓ ପ୍ରମାଣକୁ କଥିତ ଭାବରେ ନଷ୍ଟ ମଧ୍ୟ କରି ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହୋଇଛି। ବିଜେପି ପକ୍ଷରୁ ମଧ୍ୟ ଏନେଇ ତଥ୍ୟ ପ୍ରଦାନ କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ୨୦୨୦ ସେପ୍ଟେମ୍ବରରୁ ୨୦୨୨ ଜୁନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣ ନିମନ୍ତେ ୪୪.୭୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ଏହି ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଭବନର ଭିତରର ସାଜସଜା ପାଇଁ ୧୧.୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାର୍ବଲ ଓ ଚଟାଣ କାର୍ଯ୍ୟ ବାବଦକୁ ୬.୦୨ କୋଟି ଖର୍ଚ୍ଚ କରାଯାଇଥିବା ବେଳେ ବୈଦ୍ୟୁତିକ ଉପକରଣ ପାଇଁ ୨.୫୮ କୋଟି ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାବଦକୁ ୨.୫୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରୋଷେଇ ଘରେ ୧.୧ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ କେବଳ ପରଦାରେ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସରରେ ଥିବା କ୍ୟାମ୍ପ ଅଫିସ ପାଇଁ ୯.୯୯ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ବେଳେ ପରେ ଆହୁରି ୮ କୋଟିରୁ ଅଧିକ ଟଙ୍କା ଏଥିରେ ଖର୍ଚ୍ଚ କରାଯାଇଛି ବୋଲି ବିଜେପି ଦାବି କରିଛି।





