ଝାରସୁଗୁଡାରେ ଭୋଟଦାନ ଜାରି; ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ % ମତଦାନ

ଭୁବନେଶ୍ୱର,୧୦/୫(ସତ୍ୟପାଠ ବ୍ୟୁରୋ): ଖରାର ତାତି ବଢିବା ସାଙ୍ଗକୁ ବଢୁଛି ଝାରସୁଗୁଡାର ରାଜନୈତିକ ପାରା । ଆଜି ସକାଳ ୭ଟାରେ ଆରମ୍ଭ ହୋଇ ଯାଇଛି ମତଦାନ । ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଥିଲା । ତେବେ ଦିନ ବଢିବା ସହ ଭୋଟରଙ୍କ ଭିଡ ମତଦାନ କେନ୍ଦ୍ରରେ ବଢୁଥିବା ଲକ୍ଷ୍ୟ କରାଯାଇଛି ।ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ଇତି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି। ସକାଳୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ାର ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଥିବାବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସପରିବାର ସରବହାଲରେ ୩୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି ।

ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡାରେ ହେଉଛି ଉପନିର୍ବାଚନ । ଏଥିରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ନବଙ୍କ ଝିଅ ଦୀପାଳି । ଆଜି ଭୋଟ ଦେବା ପରେ ଦୀପାଳି କହିଛନ୍ତି, ଝାରସୁଗୁଡାବାସୀ ସଠିକ୍ ପ୍ରାର୍ଥୀ ବାଛିବେ । ମୋ ବାପାଙ୍କୁ ଯେଉଁମାନେ ଭଲ ପାଉଥିଲେ ସେମାନଙ୍କ ପାଇଁ ଏହା ଏକ ଦୁଃଖଦ ସମୟ । ବାପାଙ୍କ ଆଶୀର୍ବାଦ ଓ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ରହିଛି, ତେଣୁ ଅଧିକ ଭୋଟରେ ଜିତିବୁ ବୋଲି ଆଶା ଅଛି ବୋଲି ସେ କହିଛନ୍ତି ।

ଏହି ଉପନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି । ଏଥିପାଇଁ ଝାରସୁଗୁଡ଼ା ପୌର ପରିଷଦ ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିର୍ମିରା ବ୍ଲକରେ ମୋଟ୍ ୨୫୩ଟି ବୁଥ୍ ପ୍ରତିଷ୍ଠା କରାଯାଇଛି । ଆଦର୍ଶ ଓ ପିଙ୍କ ବୁଥରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଖରା ବଢୁଥିବାରୁ ସ୍କ୍ୱାସ୍, ପାଣି, ସରବତ, ତରଭୁଜ ବ୍ୟବସ୍ଥା କରାଯାଇଛି ।

Related Posts