ଭୁବନେଶ୍ୱର,୧୦/୫(ସତ୍ୟପାଠ ବ୍ୟୁରୋ): ଗତକାଲି ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ (ଏନଏବି)। ଗତକାଲି ଗିରଫ ହେବା ପରେ ଆଜି ଏନଏବି ଇମ୍ରାନ ଖାନଙ୍କୁ ଇସଲାମାବାଦର ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା।
ତାଙ୍କୁ ଏନଏବି ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ୮ ଦିନର ଅନୁମତି ଦେଇଛନ୍ତି।ମଙ୍ଗଳବାର ଇମ୍ରାନ ଖାନ ଗୋଟିଏ ମାମଲାର ନିୟମିତ ଶୁଣାଣି ପାଇଁ ଇସଲାମାବାଦ ହାଇକୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ କୋର୍ଟ ପରିସରରୁ ତାଙ୍କୁ ପାକ୍ ରେଞ୍ଜର୍ସମାନେ ଅଜଣା ସ୍ଥାନକୁ ଗିରଫ କରି ନେଇ ଯାଇଥିଲେ।
ଆଜି ପୁଲିସ ମୁଖ୍ୟାଳୟରେ ସ୍ୱତନ୍ତ୍ର କୋର୍ଟ ପ୍ରସ୍ତୁତ କରାଯିବା ସହ ସେଠାରେ ଇମ୍ରାନ ଖାନଙ୍କୁ ହାଜର କରାଯାଇଥିଲା। ତେବେ କୋର୍ଟରେ ହାଜର ହେବା ପୂର୍ବରୁ ଇମ୍ରାନ ଖାନ ତାଙ୍କ ଓକିଲଙ୍କୁ ଭେଟିଥିଲେ। ଗିରଫ ପରେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଇମ୍ରାନ ଆଜି କୋର୍ଟଙ୍କୁ କହିଛନ୍ତି। ଖାନ କହିଛନ୍ତି, ଗିରଫ ପରେ ତାଙ୍କୁ ଅଜଣା ସ୍ଥାନରେ ରଖାଯାଇ ନିର୍ଯାତନା ଦିଆଯାଇଛି। ଏପରି କି ତାଙ୍କୁ ୱାଶରୁମ ବ୍ୟବହାର ପାଇଁ ମଧ୍ୟ ଅନୁମତି ଦିଆଯାଇ ନଥିବା ସେ କହିଛନ୍ତି। ଏହାସହିତ ତାଙ୍କୁ ସ୍ଲୋ ପଏଜନ ଦେଇ ଧୀରେଧୀରେ ମାରି ଦେବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ତାଙ୍କୁ ସୁରକ୍ଷାକର୍ମୀମାନେ ଗୋଟିଏ ଇଞ୍ଜକେସନ ମଧ୍ୟ ଦେଇଥିବା ଇମ୍ରାନ ଅଭିଯୋଗ କରିଛନ୍ତି। ଏକଥା ଶୁଣିବା ପରେ ମଧ୍ୟ କୋର୍ଟ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ରେ କରାଯିବ।
ଇମ୍ରାନ ଓକିଲ ଦାବି କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ହେଲେ ତାଙ୍କୁ କୌଣସି ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ନାହିଁ। ଇସଲାମାବାଦ ପୁଲିସ୍ ଲାଇନ୍ସରେ ତାଙ୍କୁ ଅତ୍ୟନ୍ତ ଦୟନୀୟ ପରିବେଶ ମଧ୍ୟରେ ରଖାଯାଇଥିଲା। ଏଠାକୁ ତାଙ୍କୁ ରାତି ୩ ଟାରେ ଅଣାଯାଇଥିଲା। ତାଙ୍କୁ ଖାଇବାକୁ କିମ୍ବା ଶୋଇବା ପାଇଁ ବେଡ୍ ମଧ୍ୟ ଦିଆଯାଇ ନଥିଲା। ତାଙ୍କୁ ଅନେକ ପ୍ରକାରର ନିର୍ଯାତନା ଦିଆଯାଇଥିବା ଇମ୍ରାନଙ୍କ ଓକିଲ ଦାବି କରିଛନ୍ତି।





