ଭୁବନେଶ୍ୱର,୧୧/୫(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ରାୟ । ଅଧିକାରୀଙ୍କୁ ମୁତୟନ ଓ ପରିବର୍ତ୍ତନ ଅଧିକାର ଦିଲ୍ଲୀ ସରକାରଙ୍କର ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅର୍ଥାତ୍ ଉପରାଜ୍ୟପାଳ ନୁହଁ ବରଂ ଦିଲ୍ଲୀର ନିର୍ବାଚିତ ସରକାର ହିଁ ହେଉଛନ୍ତି ମୁଖ୍ୟ କ୍ଷମତାକେନ୍ଦ୍ର।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଂକୁଚିତ କରାଯାଇ ପାରିବ ନାହିଁ । କେନ୍ଦ୍ର ସରକାର ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଭଳି ସବୁ କ୍ଷମତା ନେଇ ଯାଇ ପାରିବ ନାହିଁ । ହେଲେ ଆଇନଶୃଙ୍ଖଳା ଓ ପୋଲିସ ସମ୍ବନ୍ଧୀୟ ଶକ୍ତି କେନ୍ଦ୍ର ସରକାରଙ୍କ ପାଖରେ ରହିବ । କୋର୍ଟ ଆହୁରି କହିଛନ୍ତି, ଯଦି ନିର୍ବାଚିତ ସରକାର ଅଧିକାରୀଙ୍କୁ ନିୟନ୍ତ୍ରିତ କରି ପାରିବ ନାହିଁ ତାହେଲେ ଲୋକଙ୍କ ସାମୁହିକ ଦାୟିତ୍ୱ କିଭଳି ନିର୍ବାହ କରିବ । ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଦିଲ୍ଲୀ ସରକାରଙ୍କ ଅଧିକାର ପରିସରଭୁକ୍ତ ।
ତେବେ ଦିଲ୍ଲୀରେ ପ୍ରଶାସନିକ ସେବାର ନିୟନ୍ତ୍ରଣ କିଏ କରିବ ? ଏହାକୁ ଅନେକ ଦିନ ଧରି ପ୍ରଶ୍ନ ଉଠିଥିବା ବେଳେ ୨୦୧୯ ଫେବ୍ରୁଆରୀ ୧୪ରେ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏକ ନିଷ୍ପତ୍ତି ଶୁଣାଇଥିଲେ । ଯେଉଁଥିରେ ଦୁଇ ବିଚାରପତିଙ୍କ ମତାମତ ଭିନ୍ନ ଥିଲା । ଏବେ ଉକ୍ତ ରାୟ ସହ ୫ ଜଣିଆ ଖଣ୍ଡପୀଠ ସହମତି ପ୍ରକାଶ ନକରି ଏହି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ।





