କର୍ଣ୍ଣାଟକ ପଲଟିକାଲ ଡ୍ରାମାରେ ପୂର୍ଣ୍ଣଛେଦ; ସିଦ୍ଦରମେୟା ହେବେ ମୁଖ୍ୟମନ୍ତ୍ରୀ, ଶିବକୁମାର ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ଫଳ ବାହାରିବା ପରଠୁ ଚାଲିଥିବା ହାଇ ପଲଟିକାଲ ଡ୍ରାମାରେ ପଡ଼ିଛି ପୂର୍ଣ୍ଣଛେଦ । ଛିଣ୍ଡିଛି ଭାଗବଣ୍ଟା ଓ ସବୁ ସସ୍‌ପେନ୍ସରୁ ଉଠିଛି ପରଦା । ଶେଷରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟାଙ୍କ ନାମରେ ମୋହର ବାଜିଛି। ସେପଟେ ରାଜ୍ୟ କଂଗେସ ମୁଖ୍ୟ ଡିକେ ଶିବ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଶପଥ ଗ୍ରହଣ ସମାହୋର ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ୧୨ଟା୩୦ରେ ବାଙ୍ଗାଲୁରୁରେ ହେବ । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।

ଏହି ନିଷ୍ପତ୍ତି କୁ କାର୍ଯ୍ୟକାରୀ କରିବା ପାଇଁ ଆଜି ସନ୍ଧ୍ୟା ୭ଟାରେ କର୍ଣ୍ଣାଟକା କଂଗ୍ରେସ ବିଧାୟକ ଦଳ ବୈଠକ ବେଙ୍ଗାଲୁରୁରେ ଡକାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ବେଙ୍ଗାଲୁରୁରେ ପହଞ୍ଚିବାକୁ କୁହାଯାଇଛି।

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ଛିଣ୍ଡୁ ନ ଥିବା ବେଳେ ନୂଆଦିଲ୍ଲୀରେ ଡେରା ପକାଇ ରହିଥିବା ଶିବକୁମାର ଓ ସିଦ୍ଦରମୈୟା ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ବୁଧବାର ଦିନ ତମାମ୍ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ ଶୀର୍ଷ ପଦବୀକୁ ନେଇ ନିଷ୍ପତ୍ତି ହୋଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜାରି ରହିଥିବା ଅଚଳାବସ୍ଥାକୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖ୍ୟ ଡି.କେ ଶିବକୁମାରଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ଗତ ୧୩ ତାରିଖଠାରୁ ଲାଗି ରହିଥିଲା ସସ୍‌ପେନ୍ସ। ଗତକାଲି ମଧ୍ୟରେ ରାଜ୍ୟରେ ନୂଆ ସରକାର ଗଠନ ହେବ ବୋଲି ଆଶା କରାଯାଉଥିଲେ ହେଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ଥିର ହୋଇପାରିନଥିଲା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ୨ ପ୍ରତିଦ୍ବନ୍ଦ୍ବୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଭେଟିବାପରେ ପୁଣିଥରେ ପୃଥକ୍‌ ଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଶେଷରେ ରାହୁଲ ଗାନ୍ଧି ଓ ଖାଡଗେଙ୍କ ସହ ଏକତ୍ର ବୈଠକ ପରେ ସମାଧାନର ସୂତ୍ର ବାହାରିଥିଲା। ତେବେ ସିଦ୍ଦରମେୟାଙ୍କ ପ୍ରତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଅଧିକାଂଶ ନବ ନିର୍ବାଚିତ ବିଧାୟକଙ୍କ ସମର୍ଥନ ଥିଲା ବୋଲି ଚର୍ଚ୍ଚା ହେଉଥିଲା।

Related Posts