ଆଜି ଶପଥ ନେବେ ସିଦ୍ଦରମୈୟା ଓ ଶିବକୁମାର, ମନ୍ତ୍ରୀ ହେବେ ଖଡଗେଙ୍କ ପୁଅ ପ୍ରିୟଙ୍କ

ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସିଦ୍ଦରମୈୟା । ସେହିପରି ପ୍ରଦେଶ କଂଗ୍ରେସ ମୁଖ୍ୟ ଶିବକୁମାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଶନିବାର ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ହେବାକୁ ଥିବା ଭବ୍ୟ ସମାରୋହ ପାଇଁ ପ୍ରସ୍ତୁତି ଶେଷ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ସିଦ୍ଦରମୈୟା ଓ ଶିବକୁମାରଙ୍କ ବ୍ୟତୀତ ଆଉ ୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ଏମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ ସାମିଲ ଅଛନ୍ତି। ପ୍ରିୟଙ୍କ ମନ୍ତ୍ରୀ ପଦର ଶପଥ ନେବେ ବୋଲି ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି।

ତେବେ ଶପଥ ସମାରୋହ ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଛି ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବଡ଼ ବଡ଼ ନେତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହାବ୍ୟତୀତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଶପଥ ସମାରୋହ ପାଇଁ ଡାକରା ମିଳିଛି । ସେହିପରି ସିପିଆଇ ମହାସଚିବ ଡି. ରାଜା, ସିପିଆଇ-ଏମ୍ ମହାସଚିବ ସୀତାରାମ ୟେଚୁରୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ତେବେ ଶପଥ ସମାରୋହ ପାଇଁ ଆମ ଆଦମୀ ପାର୍ଟି, ବିଏସପି ଓ ବିଆରଏସ୍ ସମେତ କିଛି ଦଳକୁ ନିମନ୍ତ୍ରଣ କରିନାହିଁ କଂଗ୍ରେସ । ଅର୍ଥାତ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, କେସିଆର, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସାମିଲ ହେବେ ନାହିଁ । କେବଳ ଏତିକି ନୁହେଁ, ବିଏସପି ମୁଖ୍ୟ ମାୟାବତୀଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିନାହିଁ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ୟ କାରଣରୁ ଶପଥ ସମାରୋହରେ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି । ତେବେ ଏହି ସମାରୋହରେ ସୋନିଆ , ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରିଛି କର୍ଣ୍ଣାଟକ କଂଗ୍ରେସ।

Related Posts