ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସରକାର ବନାମ କେନ୍ଦ୍ର ସରକାର । କିଛି ଦିନ ହେଲା ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଶାସନିକ ଅଧିକାରକୁ ନେଇ ଚାଲିଛି ଲଢେଇ । କେନ୍ଦ୍ର ନା ଦିଲ୍ଲୀ ସରକାର, କାହା ହାତରେ ରହିବ ପାଓ୍ବାର ? ଏହାକୁ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ମଧ୍ୟ କେଜ୍ରିଓ୍ବାଲ ସରକାରଙ୍କ ବିଜ୍ଞପ୍ତିକୁ ଗତିରୋଧ କରିବାରେ ଲାଗିପଡ଼ିଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ । ସେପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ନୂଆ ଅଧ୍ୟାଦେଶରେ ଜାରି କରିଛନ୍ତି । ଏଥିରେ ଦିଲ୍ଲୀରେ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳିରେ ଅନ୍ତିମ ମୋହର ମାରିବେ ଉପରାଜ୍ୟପାଳ।
କିଛି ପୂର୍ବରୁ ନିର୍ବାଚିତ ସରକାରଙ୍କ ପାଖରେ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳ କ୍ଷମତା ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହା ଦ୍ବାରା ସରକାର ଏହାର ଉତ୍ତରଦାୟୀ ରହିବେ । କିନ୍ତୁ କେନ୍ଦ୍ର ସରକାର ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି, ସେଥିରେ ଦିଲ୍ଲୀ ସରକାର ଅଧିକାରୀଙ୍କ ନିଯୁକ୍ତି ଓ ବଦଳ ନିଷ୍ପତ୍ତି ନେଇ ପାରିବେ ହେଲେ ଏଥିରେ ଚୂଡ଼ାନ୍ତ ମୋହର ଦିଲ୍ଲୀ ଉପ-ରାଜ୍ୟପାଳ ମାରିବେ ।
ଏହାକ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । କେଜ୍ରିଓ୍ବାଲ ସରକାର ଅଧିକାରୀମାନଙ୍କୁ ମନଇଚ୍ଛା ପୋଷ୍ଟିଂ କରିବା ବୋଲି ବିଜେପି କହିଛି । ସେପଟେ ଆମ୍ ଆଦମୀ ପାର୍ଟି କେନ୍ଦ୍ର ଏହି ଅଧ୍ୟାଦେଶକୁ ଭୁଲ ବୋଲି କହିଛି । ଏହି ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ଅବମାନନା କରିବା ସହିତ ସମାନ । ବିଜେପି ସମସ୍ତ ସ୍ଥାନରୁ ହାରିବା ପରେ ବାଉଳା ହେଉଛି ଆପ୍ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି ।
ସରଳ ଭାଷାରେ କହିବାକୁ ଗଲେ , କେନ୍ଦ୍ର ସରକାର ଯେଉଁ ଅଧ୍ୟାଦେଶ ଜାରି କରିଛନ୍ତି । ଏହାରି ମାଧ୍ୟମରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ଼ରେ ସିବିଲ୍ ସେବା ପ୍ରାଧିକରଣ ଗଠନ ହେବ । ଏହି କମିଟିର ବହୁମତ ଆଧାରରେ ଅଧିକାରୀଙ୍କ ନିଯୁକ୍ତି ଓ ବଦଳ କରାଯିବ । ଏଥିରେ ୩ଜଣ ସଦସ୍ୟ ରହିବେ । ଏମାନଙ୍କ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏବଂ ଗୃହ ବିଭାଗର ପ୍ରଧାନ ସଚିବ ରହିବେ । ଅଧିକାରୀଙ୍କୁ ନେଇ କୌଣସି ନିଷ୍ପତ୍ତି ପ୍ରାଧିକରଣର ବହୁମତ ଆଧାରରେ ନିଆଯିବ । ଏହାର ସରଳ ଉତ୍ତର ଖୋଜିଲେ, ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ପଖରେ ସପୂର୍ଣ୍ଣ କ୍ଷମତା ରହିବ ନାହିଁ ।





