ରାଜ୍ୟ ମନ୍ତ୍ରୀମଣ୍ଡଳରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରହିଛି ୬୫ କୋଟିର ସମ୍ପତ୍ତି

ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ): ନିଜର ସମ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସତ୍ୟପାଠ ଅନୁଯାୟୀ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୬୫ କୋଟି ୪୦ ଲକ୍ଷ ଟଙ୍କା ହେବ। ଏହାସହିତ ନବୀନ ରାଜ୍ୟ ମନ୍ତ୍ରୀମଣ୍ଡଳର ସବୁଠାରୁ ଧନୀ ମନ୍ତ୍ରୀ ବୋଲି ସୂଚନା ମିଳିଛି। ତେବେ ନବୀନ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ନାଁରେ ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା, ଭୁବନେଶ୍ବରର ଏସ୍‌ବିଆଇରେ ୨୦ ଲକ୍ଷ ୮୭ ହଜାର, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ୍‌ ଏସ୍‌ବିଆଇରେ ୭ ହଜାର ଓ ଅନ୍ୟ ଏକ ଆକାଉଣ୍ଟ୍‌ରେ ୧୪ ହଜାର ଟଙ୍କା ରହିଛି। ସେହିପରି ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସ୍‌ଡ୍‌ ଡିପୋଜିଟ୍‌ ରହିଛି। ଏହା ବାଦ୍ ୯ କୋଟି ଟଙ୍କାର ଆର୍‌ବିଆଇ ବଣ୍ଡ୍‌ ଓ ପୋଷ୍ଟ୍‌ ଅଫିସ୍‌ରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ୍‌ ରହିଛି। ଦିଲ୍ଲୀ ଲୋଧି ରୋଡ୍‌ର ପୋଷ୍ଟ ଅଫିସ୍‌ରେ ୬ ଲକ୍ଷ ୯୬ ହଜାର ଟଙ୍କା ରହିଛି।

ସେହିପରି ନବୀନଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଥିଲା ବେଳେ ୧୯୮୦ ମସିହାର ଏକ ଆମ୍ବାସଡର୍‌ କାର୍‌ ରହିଛି। ସେହିପରି ଭୁବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ସେୟାର ଅଛି, ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ହେବ। ଦିଲ୍ଲୀର ଏପିଜେ ଅବଦୁଲ୍‌ କଲାମ୍‌ ରୋଡ୍‌ରେ ଥିବା ସମ୍ପତ୍ତିରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି। ଏହାର ବର୍ତ୍ତମାନର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାରଟଙ୍କା ହେବ। ନବୀନଙ୍କର ଉପରେ କିଛି ଋଣ ଭାର ନାହିଁ ବୋଲି ତଥ୍ୟରୁ ଜଣାପଡିଛି।

ସେହିପରି ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବହୁ ମନ୍ତ୍ରୀ କୋଟିପତି ତାଲିକାରେ ରହିଛନ୍ତି। ଏହି ତାଲିକାରେ ୧୪ ଜଣ ମନ୍ତ୍ରୀ ଅଛନ୍ତି। ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଉଷା ଦେବୀ, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର‌ ଢୋଲକିଆ, ଟୁକୁନି ସାହୁ, ପ୍ରଦୀପ ଅମାତ, ପ୍ରତାପ ଦେବ, ବାସନ୍ତୀ ହେମ୍ବ୍ରମ୍‌, ରୋହିତ ପୂଜାରୀ ଓ ଅଶ୍ବିନୀ ପାତ୍ରଙ୍କ ସମ୍ପତ୍ତି କୋଟିଏରୁ ଅଧିକା ରହିଛି।

ସେହିପରି ରାଜ୍ୟର ମନ୍ତ୍ରୀମାନଙ୍କ ମଧ୍ୟରେ ପୂର୍ତ୍ତ ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଳିକ ସବୁଠୁ ଗରିବ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖୀ ୪୨ ଲକ୍ଷ ଟଙ୍କା ରହିଛି। ସୂଚନାଥାଉକି, ଗତଥର ମଧ୍ୟ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସବୁଠାରୁ ଗରିବ ଥିଲେ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

Related Posts