ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ): ଏଣିକି ପୂର୍ବ ଭଳି ନଗଦ ଆକାରରେ ମିଳିବ ଭତ୍ତା ଟଙ୍କା । ଭତ୍ତା ଟଙ୍କା ପାଇବା ପାଇଁ ବହୁ ହିତାଧିକାରୀ ହନ୍ତସନ୍ତ ହେବା ଖବର ବାରମ୍ବାର ସାମନାକୁ ଆସିବା ପରେ, ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ନିଷ୍ପତ୍ତି ଅନୁସାରେ, ମଧୁବାବୁ ପେନସନ ଯୋଜନାରେ ମିଳୁଥିବା ଭତ୍ତା ଟଙ୍କା ଆଉ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବନି ।ପୂର୍ବଭଳି ସିଧାସଳଖ ନଗଦ ଆକାରରେ ଭତ୍ତା ମିଳିବ।
ପ୍ରତି ମାସ ୧୫ ତାରିଖରେ ହିଁ ଭତ୍ତା ଟଙ୍କା ଦିଆଯିବ । ଜୁନ୍ ମାସରୁ ଏହା ଲାଗୁ ହେବ । ହିତାଧିକାରୀମାନେ ପୂର୍ବରୁ ଯେଉଁ କେନ୍ଦ୍ରରୁ ଭତ୍ତା ଟଙ୍କା ପାଉଥିଲେ, ସେହିଠାରୁ ହିଁ ଭତ୍ତା ଟଙ୍କା ପାଇବେ । ଯେଉଁ ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀମାନେ ଭତ୍ତା କେନ୍ଦ୍ରକୁ ଯାଇ ପାରୁନାହାନ୍ତି ସେମାନଙ୍କ ଘରେ ନେଇ ଭତ୍ତା ଟଙ୍କା ଦିଆଯିବ । ଭତ୍ତା ପ୍ରଦାନରେ ପଂଚାୟତିରାଜ ସଂସ୍ଥାକୁ ସାମିଲ କରାଯିବ । ଏହି ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ସମସ୍ତ ପୌର କର୍ତ୍ତୃପକ୍ଷଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ, ରାଜ୍ୟର ପ୍ରାୟ ୨୮ଲକ୍ଷ ୩୮ହଜାର ୭୦୪ ଜଣ ହିତାଧିକାରୀ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଉଛନ୍ତି । ଏଥିରୁ ୮୦ବର୍ଷରୁ ଅଧିକ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୧ଲକ୍ଷ ୮୩ ହଜାର, ୮୦ବର୍ଷ ଭିତରେ ପ୍ରାୟ ୨୬ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି । ଗତ ବର୍ଷ ଠାରୁ ଭତ୍ତା ବଣ୍ଟନରେ ସ୍ୱଛତା ଆଣିବା ପାଇଁ ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଥିଲା । କିନ୍ତୁ ବୈଷୟିକ ତ୍ରୁଟି କାରଣରୁ ଅନେକ ହିତାଧିକାରୀଙ୍କ ଆକାଉଣ୍ଟକୁ ଠିକ୍ ସମୟରେ ଟଙ୍କା ପହଞ୍ଚୁନାହିଁ । ଯାହା ଫଳରେ ବହୁ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ହିତାଧିକାରୀ ଭତ୍ତା ଟଙ୍କା ପାଇବା ପାଇ ଓ ଏହାକୁ ଉଠାଇବାରେ ସମସ୍ୟା ଭୋଗୁଛନ୍ତି । ଏପରିକି ଟଙ୍କା ପାଇଁ ବ୍ୟାଙ୍କକୁ ବାରମ୍ବାର ଦଉଡି ଦଉଡି ନିରାଶ ହେବା ସହ ଖର୍ଚ୍ଚାନ୍ତ ହେଉଥିବା ଖବର ବାରମ୍ବାର ସାମନାକୁ ଆସୁଛି । ଏହି ଖବରକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଇଥିଲା।





