ରାଷ୍ଟ୍ରପତିଙ୍କ ସଭାରେ ବିଦ୍ୟୁତ୍ ବିଭ୍ରାଟ୍ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ୍ ପାଳନ

ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ): ମହାମହିମ ରାଷ୍ଟ୍ରପତିଙ୍କ ସଭାରେ ବିଦ୍ୟୁତ୍ ବିଭ୍ରାଟର ପ୍ରତିବାଦରେ ମୟୂରଭଞ୍ଜରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ହରତାଳ ଡାକରା ଦିଆ ଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ବନ୍ଦ ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ବାରିପଦରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡ଼ିଚଳାଚଳ ବନ୍ଦ କରିଛନ୍ତି।ସ୍ଥାନେ ସ୍ଥାନେ ଦଳୀୟ କର୍ମୀ ମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ପରିସର ସହ ବିଭିନ୍ନ କାର୍ଯ୍ୟାଳୟରେ ଦଳୀୟ କର୍ମୀ ମାନେ ରହି ହରତାଳରେ ସାମିଲ ହୋଇଛନ୍ତି।

ସେହିପରି କପ୍ତିପଦା ଉପଖଣ୍ଡ ଉଦଳାରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ କୋର୍ଟ, କଚେରୀ, ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି।ଉଦଳାରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଭାଷଣ ଦେବା ବେଳେ ଲାଇନ କଟିଯିବା ଘଟଣାକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ ବସିଛି। ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଜିଲ୍ଲା ପ୍ରଶାସନ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନ ରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।

Related Posts