ଶପଥ ନେଲେ ୩ ନୂଆ ମନ୍ତ୍ରୀ

ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ୩ ନୂଆ ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ତେବେ କାହାକୁ କେଉଁ ବିଭାଗର ଦାୟିତ୍ୱ ମିଳିବ ସେନେଇ କୌଣସି ସୂଚନା ମିଳିନାହିଁ। ନୂଆ ମନ୍ତ୍ରୀଙ୍କ ଶପଥ ପାଠ ପରେ ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ମାନଙ୍କର ବିଭାଗ ପରିବର୍ତ୍ତନ ହେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଏବଂ ଦୁଇ ମନ୍ତ୍ରୀ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ସେହିପରି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ମଧ୍ୟ ମନ୍ତ୍ରୀମଣ୍ଡଳରେ ଆଉ ଗୋଟିଏ ଆସନ ଖାଲି ପଡିଥିଲା। ତେବେ ଏହି ୩ ଜଣ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବେଳେ କିଏ ନୂଆ ବାଚସ୍ପତି ହେବେ ସେନେଇ ସୂଚନା ମିଳିନାହିଁ।

ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ହେଉଛନ୍ତି ବିକ୍ରମ ଆରୁଖ। ଲଗାତାର ୬ ଥର ଭଞ୍ଜନଗରରୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଗଡ଼ରେ ୧୯୯୫ ମସିହାରେ ବିଧାୟକ ଭାବେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ଏପରି ୬ ଥର ବିଧାୟକ ହୋଇଛନ୍ତି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ମଧ୍ୟ ଥିଲେ ଆରୁଖ।

ସେହିପରି ସାରଦା ପ୍ରସାଦ ନାୟକ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଅନ୍ୟତମ ଜଣାଶୁଣା ଚେହେରା। ଏବେ ସେ ରାଉରକେଲାରୁ ବିଧାୟକ ଅଛନ୍ତି। ୬୪ ବର୍ଷୀୟ ସାରଦା ୨୦୦୪ ମସିହାରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୯ ମସିହାରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସାରଦା ନାୟକ। ସେ ପୂର୍ବରୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି।

ସେହିପରି ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଯାଉଥିବା ବଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି। ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ସମ୍ଭାଳି ଥିଲେ।

Related Posts