ବିକ୍ରମଙ୍କୁ ଅର୍ଥ, ସୁଦାମଙ୍କୁ ଗଣଶିକ୍ଷା ଓ ସାରଦାଙ୍କୁ ଶ୍ରମ ବିଭାଗ ଦାୟିତ୍ବ

ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶପଥ ନେଇଛନ୍ତି ୩ ନୂଆ ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଶପଥ ପାଠ ପରେ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗର ଦାୟିତ୍ବ ମିଳିଛି। ସେପଟେ ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦାୟିତ୍ବ ମିଳିଛି। ସେହିପରି ସାରଦା ନାୟକଙ୍କୁ ମିଳିଛି ଶ୍ରମ ବିଭାଗର ଦାୟିତ୍ବ।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ସେହିପରି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ମଧ୍ୟ ମନ୍ତ୍ରୀମଣ୍ଡଳରେ ଆଉ ଗୋଟିଏ ଆସନ ଖାଲି ପଡିଥିଲା। ତେବେ ପୂର୍ବରୁ ଅର୍ଥ, ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ବରେ ଥିବା ନିରଞ୍ଜନ ପୂଜାରୀଙ୍କୁ ନବ ଦାସଙ୍କ ହତ୍ୟା ପରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିଲା। ସେହିପରି ସମୀର ଓ ଶ୍ରୀକାନ୍ତ ଇସ୍ତଫା ଦେବାପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସ୍କୁଲ ଓ ଗଣଶିକ୍ଷା ସହ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ନିରଞ୍ଜନ ପୂଜାରୀଙ୍କ ଠାରୁ ଅର୍ଥ ବିଭାଗ କାଢ଼ିନେଇ ବିକ୍ରମ ଆରୁଖଙ୍କୁ ଦିଆଯାଇଛି। ସେପଟେ ପୂର୍ବରୁ ସମୀରଙ୍କ ପାଖରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ଯାଇଛି ସୁଦାମ ମାରାଣ୍ଡିଙ୍କ ପାଖକୁ ଯାଇଛି। ସେହିପରି ଶ୍ରୀକାନ୍ତଙ୍କ ପାଖରେ ଥିବା ଶ୍ରମ ବିଭାଗର ଦାୟିତ୍ବ ସାରଦା ନାୟକଙ୍କୁ ମିଳିଛି।

Related Posts