୨୦୦୦ ଟଙ୍କିଆ ନୋଟ୍‌ ନେବାକୁ ମନା କରି ପାରିବେ ନାହିଁ ବ୍ୟବସାୟିକ ପ୍ରତିଷ୍ଠାନ: ରିଜର୍ଭ ବ୍ୟାଙ୍କ୍ ମୁଖ୍ୟ

ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ): ୨୦୦୦ ଟଙ୍କିଆ ନୋଟ୍‌ ସଚଳ ହୋଇଥିବାରୁ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ଏହାକୁ ଅଗ୍ରାହ୍ୟ କରିପାରିବେ ନାହିଁ‌ ‌ବୋଲି ଆଜି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି, ଆମେ ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରି ନେଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ।ରିଜର୍ଭ ବ୍ୟାଙ୍କ୍‌ର ପୂର୍ବ ନିର୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ। ୨୦୦୦ ଟଙ୍କିଆ ନୋଟ୍‌ ପ୍ରତିବଦଳ କରିବା ଲାଗି ଯଥେଷ୍ଟ ସମୟ ଦିଆଯାଇଥିବାରୁ ଗ୍ରାହକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍‌ ଦାସ କହିଛନ୍ତି, ପ୍ରସାରଣରୁ ପ୍ରତ୍ୟାହାର କରାଯାଇଥିବା ୨୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକ ପ୍ରତିବଦଳ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା ଲାଗି ଦେଶର ସମସ୍ତ ବ୍ୟାଙ୍କ୍‌ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ପ୍ରକ୍ରିୟା ଅବାଧରେ ସମ୍ପନ୍ନ କରିବା ଲାଗି ବ୍ୟାଙ୍କ୍‌ ସବୁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟାହାର ପ୍ରକ୍ରିୟା ଉପରେ ଗୁରୁତ୍ବାରୋପ କରିବା ଲାଗି ଆମେ ସେପ୍ଟେମ୍ବର ୩୦କୁ ଶେଷ ତାରିଖ ବୋଲି ଉଲ୍ଲେଖ କରିଛୁ। କାରଣ, ଆମେ ଏଥିପାଇଁ ସମୟସୀମା ଉନ୍ମୁକ୍ତ ଛାଡ଼ି ପାରିବୁ ନାହିଁ।

ସୂଚନାଯୋଗ୍ୟ, ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍‌ ସବୁ ବ୍ୟାଙ୍କରେ ପ୍ରତିବଦଳ କିଂବା ଜମା କରିବା ଲାଗି ଜାରି କରିଥିବା ବିଜ୍ଞପ୍ତିରେ ରିଜର୍ଭ ବ୍ୟାଙ୍କ୍‌ ଜନସାଧାରଣଙ୍କୁ ନିବେଦନ କରିଛି।

Related Posts