ଭୁବନେଶ୍ୱର,୩/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା କେବଳ ଓଡ଼ିଶା ନୁହେଁ, ପୂରା ଦେଶକୁ ସ୍ତବ୍ଧ କରିଦେଇଛି। ଶୁକ୍ରବାର ସଂଧ୍ୟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା। ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ଦିନିକିଆ ଶୋକ ପାଳିବ ତାମିଲନାଡୁ।
ଆଜି ସାରା ତାମିଲନାଡୁରେ ଦିନିକିଆ ଶୋକ ପାଳନ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସୂଚନା ଦେଇଛନ୍ତି।ସେଥିପାଇଁ ଆଜି ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଜନ୍ମଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମ ବାତିଲ କରାଯାଇଛି। କେବଳ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କାଲାଇଗ୍ନାର୍ ପ୍ରତିମୂର୍ତ୍ତି ଏବଂ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ବାକି ସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।ଏହାସହ ତାମିଲନାଡୁରୁ ଚାରି ଜଣିଆ ଟିମ୍ ଓଡ଼ିଶା ପଠାଉଥିବା ଘୋଷଣା କରିଛନ୍ତି ।
ସେହିପରି ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ଏହି ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକେ ପହଞ୍ଚୁଛନ୍ତି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି।
ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ରେଳ ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ଆହତ ଯାତ୍ରୀଙ୍କୁ ଉତ୍ତମ ଚିକତ୍ସା ଯୋଗାଇଦେବାକୁ ପ୍ରୟାସ କରାଯାଉଛି। ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ।





