ପିଛା ଛାଡ଼ୁନି ଅଘଟଣ: ରାଧାକିଶୋରପୁରରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନରେ ନିଆଁ

ଭୁବନେଶ୍ୱର,୧୧/୬(ସତ୍ୟପାଠ ବ୍ୟୁରୋ): ପୁଣି ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ ଲାଗିଥିବାର ଖବର ମିଳିଛି। ଆଠଗଡ଼ ରାଧାକିଶୋରପୁରରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ତେବେ କିପରି ନିଆଁ ଲାଗିଲା, ତାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି। ରାତି ପ୍ରାୟ ୩ଟାରେ ଏହି ନିଆଁ ଲାଗିଥିବା କୁହାଯାଉଛି। ଏଣେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବାରେ ପ୍ରାୟ ଘଣ୍ଟାଏ ବିଳମ୍ବ ହେବାଇଥିବା ଜଣାଯାଇଛି।

ତେବେ ସେ ଯାହା ହେଉନା କାହିଁକି, ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ରକ୍ଷା ମିଳିଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାବତ ଜଣା ପଡ଼ିନାହିଁ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ଟିମ ଉପସ୍ଥିତ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ବାଲେଶ୍ୱର ଜିଲ୍ଲା ରୂପସା ଷ୍ଟେସନରେ ଏକ ମାଲବାହୀ ଟ୍ରେନର ଗୋଟିଏ ୱାଗନରେ ନିଆଁ ଲାଗିଯାଇଥିଲା। ଏଥିରେ ବି କୋଇଲା ବୋଝେଇ ହୋଇଥିଲା। ତା’ ପୂର୍ବରୁ ଗୁରୁବାର ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍‌ଟି ଛତିଶଗଡ଼ର ଦୁର୍ଗରୁ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ବେଳେ କୋମାଖାନା ନିକଟରେ ନିଆଁ ଲାଗିଥିବା ନେଇ ଯାତ୍ରୀମାନେ ଦେଖିଥିଲେ। ତେବେ ଏଥିରେ ଯାତ୍ରୀମାନଙ୍କର କିଛି କ୍ଷତି ହୋଇ ନଥିଲା।

ଜୁନ୍ ୨ ତାରିଖରେ ବାହାନଗାରେ ଦୁଇ ଯାତ୍ରୀବାହୀ ଓ ଗୋଟିଏ ମାଲବାହୀ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜୁନ୍ ୭ ତାରିଖରେ ଯାଜପୁର ରୋଡ୍ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍‌ରେ କଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

Related Posts